ଗଡ଼କରୀ ଦେଲେ ୯୦୨୩ କୋଟିର ପ୍ରକଳ୍ପ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଜେପି ଶାସନରେ ଓଡ଼ିଶା ବିକାଶ ପଥରେ ଆଗେଇଛି। ସବୁ କ୍ଷେତ୍ରରେ ବିକାଶ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ଆବଶ୍ୟକ। ଏବେ ଓଡ଼ିଶାରେ ୨ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ଚାଲିଥିବାବେଳେ ଆସନ୍ତା ୨ବର୍ଷରେ ୩ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ହେବାକୁ ଯାଉଛି। ଓଡ଼ିଶାର ଜାତୀୟ ରାଜପଥକୁ ଆମେରିକା ଭଳି କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଆଜି ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରୀ ୪୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟରେ ୭୫ହଜାର କୋଟି ଟଙ୍କ‌ା ବ୍ୟୟରେ ୨୨୩୦କିମି ରାସ୍ତା ନିର୍ମାଣ ହେବ। ଏନେଇ ଡିପିଆର୍ ପ୍ରସ୍ତୁତ ହୋଇସାରିଛି, କାର୍ଯ୍ୟାଦେଶ ଦିଆଯିବ। ସେହିପରି ଓଡ଼ିଶାରେ ୫ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ବାଇପାସ୍ ରୋଡ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଓଡ଼ିଶା ସରକାର ନୂଆ ଜାତୀୟ ରାଜପଥ, ରାଜପଥ ସମ୍ପ୍ରସାରଣ, ଫ୍ଲାଏଓଭର୍‌ ନେଇ ଯେତେ ପ୍ରସ୍ତାବ ଦେବେ ସବୁ ମଞ୍ଜୁର କରାଯିବ ବୋଲି ଶ୍ରୀ ଗଡ଼କରୀ କହିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଦେଇଥିବା ୧୩ଟି ପ୍ରକଳ୍ପକୁ ଶ୍ରୀ ଗଡ଼କରୀ ଏହି ମଞ୍ଚରୁ ମଞ୍ଜୁର ହେଲା ବୋଲି ଘୋଷଣା କରିଥିଲେ। ଏଥିପାଇଁ ୯୦୨୩କୋଟି ଖର୍ଚ୍ଚ ହେବ। ସେଗୁଡ଼ିକ ହେଲା ୪ଲେନ୍ ବିଶିଷ୍ଟ ୬୮କିମିର କନକତୋରା-ଝାରସୁଗୁଡ଼ା ରାସ୍ତା, ବଡ଼ରମା ବନ୍ୟପ୍ରାଣୀ କ୍ଷେତ୍ରରେ ୪ ଲେନ୍‍ ବିଶିଷ୍ଟ ୨୭କିମି ରାସ୍ତା, ପୁରୀ-କୋଣାର୍କ ୨୫କିମିର ଲିଙ୍କ୍‌ ରୋଡ୍‌, ଭଞ୍ଜପୁର-ତେଲବଣୀ ୨୫କିମିର ୪ ଲେନ୍‌ ରାସ୍ତା, ମୋହନାରୁ – କୋରାପୁଟ ୨୦୨କିମିର ୨ଲେନ୍ ରାସ୍ତା, କୋଟାରୁ-ମୋଟୁ ୧୮୬କିମି ରାସ୍ତା, ଦେବଗଡ଼-ଖେରାପଲ୍ଲୀ ୭୧କିମିର ୨ଲେନ୍ ରାସ୍ତା, ଅଙ୍ଗ ନଦୀ ଉପରେ ୨କିମିର ୨ ଲେନ୍‌ ବିଶିଷ୍ଟ ସେତୁ, ପୋଡ଼ାମାରି-ମୋହନା ୨୯କିମିର ୨ଲେନ୍ ରାସ୍ତା, କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ୨କିମିର ସେତୁ, ସୋନପୁରରେ ୨ ଲେନ୍‌ ବିଶିଷ୍ଟ ୯କିମିର ବାଇପାସ୍‍, ଆସ୍କା ସହରରେ ୨ ଲେନ୍‌ ବିଶିଷ୍ଟ ୧୧କିମିର ବାଇପାସ୍‍, କୋଲାବିରାରେ ୨ ଲେନ୍‌ ବିଶିଷ୍ଟ ୫କିମି ବାଇପାସ୍‍ ରୋଡ୍।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସବୁ ଜିଲ୍ଲାରେ ଶିଳ୍ପ କରିବାକୁ ନିଷ୍ପତ୍ତି ହୋଇଥିବାରୁ ସେହି ଅନୁଯାୟୀ ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯିବ। ଡବଲ୍‌ ଇଞ୍ଜିନ୍‌ ସରକାରରେ କେମିତି ବିକାଶ ହୁଏ ରାଜ୍ୟବାସୀ ଦେଖି‌ବେ। ଗତ ସରକାର କେବଳ କାଗଜରେ ଯୋଜନା କରୁଥିଲେ। ଆମେ ଯାହା କହିବୁ, ତାହା କରିବୁ। ରାଜ୍ୟ ରାଜପଥ ପ୍ରାଧିକରଣ ଅଧୀନରେ ଆମେ ୭୦ହଜାର କିମିର ରାସ୍ତା ନିର୍ମାଣ କରିବାକୁ ଯାଉଛୁ। ଭୁବନେଶ୍ବର-ପୁରୀ ରାସ୍ତାକୁ ୮ଥାକିଆ କଲେ ଆ‌ମକୁ ୧୦୦ବର୍ଷ ପର୍ଯ୍ୟନ୍ତ ଚିନ୍ତା କରିବାକୁ ପଡ଼ିବନି। କୋଷ୍ଟାଲ୍‌ ହାଇୱେ ଦୁଇଥାକିଆ ହେବାର ଅଛି, ଏହାକୁ ୪ ଥାକିଆ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତାରେ କହିଥିଲେ, ଆଜି ଲୋକାର୍ପଣ ଓ ଶିଳାନ୍ୟାସ ହୋଇଥିବା ରାଜପଥ ପ୍ରକଳ୍ପ ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସଡ଼କ ସୁରକ୍ଷା ସଚେତନତା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ବାନ ଦେଇଥିଲେ।

ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ଓଡ଼ିଶାରେ ଯେଉଁ ବିକାଶର ଜୟଯାତ୍ରା ଚାଲିଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ସବୁଠୁ ଅଧିକ ଅବଦାନ ନୀତିନ ଗଡ଼କରୀଙ୍କର ଅଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ୟାପିଟାଲ୍‌ ରିଜିଅନ୍‌ ରିଂ ରୋଡ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା, ପରିବହନ ମନ୍ତ୍ରୀ ବିଭୂତି ‌ଭୂଷଣ ଜେନା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ, ବହୁ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୯୦୫କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଜିଲ୍ଲାରେ ନୂଆ ଜାତୀୟ ରାଜପଥ, ଦୁଇ ଥାକିଆରୁ ଚାରିଥାକିଆ, ଚାରି ଥାକିଆରୁ ୬ ଥାକିଆ ରାସ୍ତା ନିର୍ମାଣ ହେବ। ପ୍ରାୟ ୧୦୫କିମି ରାସ୍ତା ନିର୍ମାଣ ହେବ। ସେହିପରି ୪୨୭କୋଟି ଟଙ୍କାରେ ୪.୮୨କିମିର ୪ଟି ଫ୍ଲାଏଓଭର ପାଇଁ ଶିଳାନ୍ୟାସ, ୮୪୫କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ-୫୯ ଏବଂ ଜାତୀୟ ରାଜପଥ ୧୩୦ ସିଡିର ୪୪କିମି ରାସ୍ତାକୁ ଲୋକାର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here