ବ୍ରହ୍ମପୁର ଲୋକସଭା: ନିର୍ଣ୍ଣାୟକ ହେବ ଗଜପତି ଭୋଟ୍‌

0

ବ୍ରହ୍ମପୁର: ( ଆଶୀର୍ବାଦ ରାଉତ ) ଲୋକସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ରହିଲା। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ବ୍ୟାପକ ଭାବେ ସାଂଗଠନିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ରାଜ୍ୟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଲୋକସଭା ଆସନ ହେଲା ବ୍ରହ୍ମପୁର। ସାରା ରାଜ୍ୟର ନଜର ଏହି ନିର୍ବାଚନ ମଣ୍ଡଳୀ ଉପରେ ରହିଥାଏ। ଗଞ୍ଜାମର ୫ଟି ଏବଂ ଗଜପତି ଜିଲାର ଦୁଇଟି ବିଧାନସଭା ଆସନକୁ ନେଇ ଗଠିତ ବ୍ରହ୍ମପୁର ଲୋକସଭା ଆସନ କେଉଁ ଦଳ ଅକ୍ତିଆର କରିବ, ତାହାକୁ ନେଇ ସବୁଆଡ଼େ କଳ୍ପନା ଜଳ୍ପନା। ତେବେ ଆସନ୍ତା ନିର୍ବାଚନରେ ଗଜପତି ଜିଲାର ପାରଳାଖେମୁଣ୍ଡି ଏବଂ ମୋହନା ବିଧାନସଭାର ଭୋଟ୍‌ ହିଁ ନିର୍ଣ୍ଣାୟକ ଭୂମିକା ନେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।୨୦୧୯ ନିର୍ବାଚନରେ ବିଜେଡ଼ିର ଚନ୍ଦ୍ର ଶେଖର ସାହୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସରୁ ଲୋକସଭା ପ୍ରାର୍ଥୀ ଥରେ ବିଜୟ ପରେ ଦୁଇ ଥର ପରାଜୟ ହୋଇ ଶେଷରେ ୨୦୧୮ରେ ବିଜେଡ଼ିରେ ସାମିଲ ହୋଇଥଲେ। ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରେ ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ଠାରୁ ଯେଉଁଟି ନିର୍ବାଚନ ମଣ୍ଡଳୀରେ ଚନ୍ଦ୍ରଶେଖରଙ୍କୁ କମ୍‌ ଭୋଟ୍‌ ମିଳିଥିଲା, ସେଇଟି ଦୁଇଟି ହେଲା ପାରଳାଖେମୁଣ୍ଡି ଏବଂ ମୋହନା। ବିଜେଡ଼ିର ଚନ୍ଦ୍ରଶେଖରଙ୍କୁ ପାରଳାଖେମୁଣ୍ଡିରେ ୩୭ହଜାର ୭୮୯ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିର ଭୃଗୁ ବକ୍ସିପାତ୍ରଙ୍କୁ ମିଳିଥିଲା ୫୬ ହଜାର ୮୮୩ ଖଣ୍ଡ ଭୋଟ୍‌। ସେହିଭଳି ମୋହନରେ ଚନ୍ଦ୍ରଶେଖରଙ୍କୁ ୪୭ ହଜାର ୨୩୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭୃଗୁଙ୍କୁ ମିଳିଥିଲା ୪୭ ହଜାର ୫୯୬ ଖଣ୍ଡ ଭୋଟ୍‌। ଅର୍ଥାତ ଗଞ୍ଜାମ ଜିଲାରେ ଥିବା ୫ଟି ନିର୍ବାଚନ ମଣ୍ଡଳୀରେ ଭୃଗୁଙ୍କୁ ଚନ୍ଦ୍ରଶେଖର ପଛରେ ପକାଇ ଦେଇଥିଲେ ମଧ୍ୟ ଗଜପତିରେ ବିଜେପିର ଦବ୍‌ଦବା ଦେଖାଦେଇଥିଲା। ଏଭଳି ଫଳାଫଳ ପରେ ବିଜେଡ଼ି ତରଫରୁ ପାରଳାଖେମୁଣ୍ଡି ଏବଂ ମୋହନାକୁ ଗୁରୁତ୍ବ ଦିଆଯିବା କଥା। କିନ୍ତୁ ଗତ କିଛି ବର୍ଷ ଭିତରେ ତାହା ପରିଲଖିତ ହେଉନାହିଁ। ପାରଳାଖେମୁଣ୍ଡିରେ ଦଳରେ ବହୁ ଗୋଷ୍ଠୀ ଭିତରେ ଶୀତଳ ଯୁଦ୍ଧ ଚାଲିଛି। ପ୍ରାୟ ୧୦ ଜଣ ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବେଳେ ସେମାନଙ୍କ ଭିତରେ ଗୋଷ୍ଠୀ କନ୍ଦଳର କୁପ୍ରଭାବ ଦଳ ଉପରେ ପଡ଼ିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ସେହିଭଳି ମୋହନାରେ ଅନ୍ତର୍ଯ୍ୟାମୀ ଗମାଙ୍ଗ ଉପରେ ଦଳ ମାତ୍ରାଧିକ ନିର୍ଭରଶୀଳ ହୋଇପଡ଼ିଛି। ଅନ୍ୟ ବିଜେଡ଼ି ନେତାମାନେ ସେଠାରେ ମୁଣ୍ଡ ଟେକିପାରୁ ନାହାନ୍ତି। ଅନ୍ତର୍ଯ୍ୟାମୀ ଦଳକୁ ନିଜ କବ୍‌ଜାରେ ରଖିଥିବା ବେଳେ ଏହାର ପ୍ରଭାବ ଆସନ୍ତା ନିର୍ବାଚନରେ କିଭଳି ପଡ଼ୁଛି, ତାହାକୁ ନେଇ ମଧ୍ୟ ଉତ୍କଣ୍ଠା ରହିଛି। ଅପରପକ୍ଷେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ବହିଷ୍କାର ପରେ ଗଞ୍ଜାମରେ ମଧ୍ୟ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଗୋପାଳପୁର, ଚିକିଟି ଏବଂ ଦିଗପହଣ୍ଡିରେ ଦଳର ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଛତ୍ରପୁରରେ ବର୍ତ୍ତମାନର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ଅନ୍ୟପଟେ ବିଜେପିର ସ୍ଥିତିରେ ମଧ୍ୟ ବିଶେଷ ଉନ୍ନତି ଆସିନାହିଁ। ଭୃଗୁ ବକ୍ସିପାତ୍ର ପୂର୍ବଭଳି ନିର୍ବାଚନ ମଣ୍ଡଳୀରେ ସକ୍ରୀୟ ନାହାନ୍ତି। ଦଳ ନୂଆଁ ମୁହଁ ଖୋଜୁଥିବା ଚର୍ଚ୍ଚା ହେଉଛି। ପ୍ରଦୀପ ପାଣିଗ୍ରାହୀଙ୍କ ଦଳ ଅପେକ୍ଷା କରିଥିବା ବେଳେ ତାଙ୍କ ମିଶ୍ରଣ ପରେ ସ୍ଥିତିରେ ଉନ୍ନତି ଆସିବ ବୋଲି କୁହାଯାଉଛି। ଚିକିଟି ଏବଂ ଗୋପାଳପୁରରେ ଦଳର ସ୍ଥିତି ଭଲ ରହିଛି। ଦିଗପହଣ୍ଡିରେ ବିପିନ ପ୍ରଧାନ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ସେ ଯଦି ବିଜେପିରେ ସାମିଲ ହୁଅନ୍ତି, ତେବେ ଦଳର ବିଜୟ ସମ୍ଭାବନା ବୃଦ୍ଧି ପାଇବ। ବ୍ରହ୍ମପୁର ଏବଂ ଛତ୍ରପୁରରେ ଦଳର ସ୍ଥିତିରେ ସାମାନ୍ୟ ଉନ୍ନତି ଘଟୁଛି। ଅପରପକ୍ଷେ ପାରଳାଖେମୁଣ୍ଡି ଏବଂ ମୋହନାରେ କିନ୍ତୁ ବିଜେପିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ପାରଳାଖେମୁଣ୍ଡିର ବିଜେପି ବିଧାୟକ କେ.ନାରାୟଣ ରାଓଙ୍କୁ ଦଳର ପୁରୁଣା କର୍ମୀମାନେ ଗ୍ରହଣ କରିପାରୁ ନାହାନ୍ତି। ମୋହନାରେ ଗତ ଥରର ପ୍ରାର୍ଥୀ ଥିବା ପ୍ରଶାନ୍ତ ମଲ୍ଲିକ ନିର୍ବାଚନ ପରେ ସେତେଟା ସକ୍ରୀୟ ନାହାନ୍ତି।ବ୍ରହ୍ମପୁର ଲୋକସଭା ନିର୍ବାଚନର ଫଳାଫଳକୁ ଦେଖିଲେ ଜଣାପଡ଼ୁଛି ଯେ, ବିଧାନସଭା ନିର୍ବାଚନର ପ୍ରଭାବ ଲୋକସଭା ଉପରେ ପଡ଼ିଥାଏ। ଚଳିତ ବର୍ଷ ମଧ୍ୟ ଏହି ଧାରା ଜାରି ରହିବ ବୋଲି କୁହାଯାଉଛି। ତେବେ ଲୋକସଭା ଭୋଟ୍‌ରେ ବିଜେପି ସୁଦୃଢ଼ ହେଉଥିବା ବେଳେ ବିଧାନସଭା ଭୋଟ୍‌ରେ ବିଜେଡ଼ିର ବିଜୟ ସମ୍ଭାବନା ଅଧିକ ରହୁଛି।

LEAVE A REPLY

Please enter your comment!
Please enter your name here