ଗଜପତି ( ବିପ୍ଲବୀ ପରିକ୍ରମା ):- ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଆୟୋଜିତ ମହିଳା ସ୍ବୟଂସହାୟିକା ଗୋଷ୍ଠୀର ମା ମାନଙ୍କ ଦ୍ବାରା ବିଭିନ୍ନ ଉତ୍ପାଦନ ସାମଗ୍ରୀ ଷ୍ଟଲକୁ ଉଦ୍ଘାଟିତ କରି ମହିଳା ସ୍ବୟଂସହାୟକ ଗୋଷ୍ଠିଙ୍କ ଉତ୍ପାଦିତ ସାମଗ୍ରି ଗୁଡିକୁ କିପରି ଆହୁରି ଉନ୍ନତମାନର ପ୍ରସ୍ତୁତ କରିବେ, ବଜାରରେ ଚାହିଦା ଅନୁଯାୟୀ ବିକ୍ରିବଟା କରିବା, ଆକର୍ଷଣିୟ ଭାବେ ପ୍ୟାକିଂ କରିବା ଆଦିକୁ ନେଇ ପରାମର୍ଶ ଦେଇଥିଲେ । ଏଥି ସହ ଯେ “ଯୋ ଦିଖତା ହେ ୱାହି ବିକତାହେ” କଥାବସ୍ତୁକୁ ମନେ ରଖିବାପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଗୋଷାଣି ଗ୍ରାମ ପରିକ୍ରମା କରି ପ୍ରଧାନ ମନ୍ତ୍ରୀ ଆବାସିକ ଯୋଜନା ହିତାଧିକାରୀଙ୍କୁ ଭେଟି ପଚାରି ବୁଝିବା ସହ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାର ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପରେ ଗଜପତି ମହାରାଜାଙ୍କ ଆରାଧ୍ୟ ରାମଲିଙ୍ଗେଶ୍ବର ମନ୍ଦିରର ପୂଜାର୍ଚ୍ଚନା କରିଛନ୍ତି, ସେଠାରୁ ସେଞ୍ଚୁରିୟନ ୟୁନିଭେର୍ସିଟିରେ ମତ୍ସ୍ୟ ସମ୍ପଦ ଜାଗୃତା ଅଭିଯାନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ବିଭିନ୍ନ ଚାଷୀମାନଙ୍କ ସହ ବାର୍ତ୍ତାଳପ କରିଥିଲେ । ପ୍ରୋଟକୋଲକୁ ନ ଦେଖି ରାଜ୍ୟପାଳ ଶ୍ରୀଯୁକ୍ତ ଦାସ ଚାଷୀମାନଙ୍କ ମଧ୍ୟକୁ ଯାଇ ବିଭିନ୍ନ ଆଲୋଚନା କରିଥିବାର ଦେଖିବାକୁ ମିଳିଛି । ଚାଷୀମାନେ ରାଜ୍ୟପାଳଙ୍କୁ ସଫଳତାର କାହାଣୀ କହିଥିବା ବେଳେ ଆଉକେତକ ଚାଷୀମାନେ ସରକାରୀ ଯୋଜନାରେ ସୁବିଧା ମିଳୁନଥିବାର ଜଣାଇଥିଲେ । ଏନେଇ ରାଜ୍ୟପାଳ କହିଥିଲେ ଯେ ସରକାର ସହଯୋଗ କରିବାକୁ ଅଛନ୍ତି । ପ୍ରଶାସନ ତଦାରଖ କରିବେ । ଆଉ ଆମ୍ଭମାନଙ୍କ କର୍ତ୍ତବ୍ୟ ହେଲା କାମ କରିବା । ତେଣୁ ଗରିବୀରୁ ମୁକୁଳିବାପାଇଁ କଠିନ ପରିଶ୍ରମ ସହ ନିଜ ନିଜ ବୁଦ୍ଧି ବିଚାରରେ ମାର୍କେଟ ପ୍ରସ୍ତୁତ କଲେ ସରକାରୀ ଯୋଜନା ସଫଳ ହେବା ସହ ଆର୍ଥିକ ଅନଟନ ରହିବ ନାହିଁ ଏବଂ ପଛୁଆ ଭାବେ କେହି ପରିଗଣିତ ହେବେ ନାହିଁ ବୋଲି କହିଥିଲେ ।
ତାପରେ ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଅନୁଷ୍ଠିତ ଜନଅଭିଯୋଗ ଶୁଣିଥିଲେ । ଏଥିରେ ବିଭିନ୍ନ ଅଭିଯୋଗ ସହ ପାନୀୟ ଜଳ ସମସ୍ୟା, ରାସ୍ତାଘାଟ ସମସ୍ୟା, ଜମିକୁ ଜଳସେଚନ ବ୍ୟବସ୍ଥା ସମ୍ପର୍କିତ ଅଭିଯୋଗ ହୋଇଥିଲା । ବିଶେଷ କରି ସରକାରୀ ଯୋଜନା ଗୁଡିକ ପହଞ୍ଚୁ ନଥିବାକୁ ନେଇ ବହୁ ଅଭିଯୋଗ ଆସିଥିଲା । ସମସ୍ତ ଅଭିଯୋଗ ଶୁଣିବାପରେ ଜିଲ୍ଲା ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍. କୁମାର, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଡ.ଗୁଣନିଧି ନାୟକ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।