ବିପ୍ଲବୀ ପରିକ୍ରମା ଡିଜିଟାଲ :- ଘରୋଇ ଗ୍ରାଉଣ୍ଡରେ ବି ବିଜୟ ଟ୍ରାକକୁ ଫେରିପାରିଲା ନାହିଁ ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲରେ ଖେଳାଯାଇଥିବା ୧୯ ତମ ମୁକାବିଲାରେ ୭ ଓ୍ବିକେଟରେ ଗୁଜୁରାଟ ଟାଇଟନ୍ସ ବିଜୟୀ ହୋଇଛି । ଲଗାତାର ୩ ଟି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ଗୁଜୁରାଟ । ସେପଟେ ଲଗାତାର ଚତୁର୍ଥ ମ୍ୟାଚ ହାରି ପଏଣ୍ଟ ଟେବୁଲର ଶେଷରେ ଏସଆରଏଚ । ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଓ ଗିଲଙ୍କ ଧୂଆଁଧାର ଅର୍ଦ୍ଧଶତକ ଦଳକୁ ବିଜୟ ଭେଟି ଦେଇଛି । ୩. ୨ ଓଭର ବାକି ଥାଇ ଚଳିତ ଆଇପିଏଲରେ ତୃତୀୟ ବିଜୟ ହାସଲ କରିଛି ଜିଟି । ରବିବାର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା। ଅଧିନାୟକ ଶୁଭମନ ଗିଲ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଚମତ୍କାର ଇନିଂସ ଯୋଗୁଁ ଗୁଜୁରାଟ ଦଳ ୧୬. ୪ ଓଭରରେ ୩ ୱିକେଟ୍ ହରାଇ ୧୫୩ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଆଇପିଏଲ୍ ୨୦୨୫ ରେ ୪ଟି ମ୍ୟାଚ ଖେଳି ଗୁଜୁରାଟ ଗୋଟିଏର ପରାଜୟ ହୋଇଥିବା ବେଳେ ୩ଟିରେ ବିଜୟୀ ହୋଇଛି । ଆଜିର ବିଜୟ ସହିତ ଜିଟି ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଯଦି ହାଇଦ୍ରାବାଦ ଦଳ ବିଷୟରେ କହିବା , ତେବେ ୫ ଟି ମ୍ୟାଚରେ ଏହା ସେମାନଙ୍କର ଚତୁର୍ଥ ପରାଜୟ । ଏସଆରହେଚ ଦଳ ୨ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଶେଷ ଦଶମ ସ୍ଥାନରେ ରହିଛି ।