ବିପ୍ଲବୀ ପରିକ୍ରମା ଡିଜିଟାଲ :- ଅପରେସନ୍ ସିନ୍ଦୂର୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି। ଏହା ସତ୍ତ୍ବେ ପାକିସ୍ତାନ ସୁଧୁରି ନାହିଁ। ଅସ୍ତ୍ରବିରତି ଘୋଷଣାର ପ୍ରାୟ ୩ ଘଣ୍ଟା ମଧ୍ୟରେ ପାକିସ୍ତାନ ଶନିବାର ଭାରତରେ ଆକ୍ରମଣ କରିଥିଲା। ଏହାକୁ ଭାରତର ସେନାବାହିନୀ ପଣ୍ଡ କରିଥିଲା। ଶନିବାର ଘଟଣା ପରେ ସୋମବାର ପାକିସ୍ତାନ ପୁଣିଥରେ ଜମ୍ମୁ କାଶ୍ମୀରର ସାମ୍ବା ଓ ହୀରାନଗର ଜିଲ୍ଲାର ଅନ୍ତର୍ଜାତୀୟ ସୀମାରେ ଗୁଳିଗୋଳା ମାଡ଼ କରିଛି। ପ୍ରାୟ ୧୦ରୁ ୧୨ଟି ଡ୍ରୋନ୍କୁ ସାମ୍ବାରେ ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଖସାଇଥିବା ଦାବି ହୋଇଛି। ଅନ୍ୟପକ୍ଷେ ପଞ୍ଜାବରେ ବି ଡ୍ରୋନ୍ ଠାବ ହୋଇଛି। ହୋସିଆରପୁରରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ସହରର ଡେପୁଟି କମିସନର ଆସିକା ଏ ନେଇ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ପାକିସ୍ତାନକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କଡ଼ା ଚେତାବନୀ ଦେବାର ମାତ୍ର କିଛି ସମୟ ମଧ୍ୟରେ ପାକିସ୍ତାନର ଏଭଳି ଆଚରଣ ସାମ୍ନାକୁ ଆସିଛି। ଜମ୍ମୁରେ ଏଥିପାଇଁ ହାଇ ଆଲର୍ଟ ଜାରି ହୋଇଛି। ଅମୃତସରରେ ସତର୍କତାମୂଳକ ବ୍ଲାକ୍ଆଉଟ୍ ଜାରି ହୋଇଛି। କେହି ବି ଭୟ ନକରିବା ପାଇଁ ଅମୃତସରର ଡେପୁଟି କମିସନର ଅନୁରୋଧ କରିଛନ୍ତି। ଲୋକମାନେ ଘରର ଲାଇଟ୍ ବନ୍ଦ କରିବା ଏବଂ ଝରକାଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି।