ମହଙ୍ଗା ପଡ଼ିଲା ଗୁଟଖା ବିଜ୍ଞାପନ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମହଙ୍ଗା ପଡ଼ିଲା ଗୁଟଖା ବିଜ୍ଞାପନ। ପାନ ମସଲା ପାଇଁ ବିଜ୍ଞାପନ କରି ଅକଳରେ ପଡ଼ିଲେ, ପଦ୍ମ ପୁରସ୍କାର ପ୍ରାପ୍ତ ବଲିଉଡ୍ ସେଲିବ୍ରିଟି ଶାହାରୁଖ ଖାନ୍, ଅକ୍ଷୟ କୁମାର ଓ ଅଜୟ ଦେବଗନ। ଗୁଟଖା ବିଜ୍ଞାପନରେ ଏହି ତିନି ସେଲିବ୍ରିଟିଙ୍କୁ ନୋଟିସ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଗୁଟଖା ଖାଇଲେ ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କୁହାଯାଉଥିବାବେଳେ ଏହାର କିନ୍ତୁ ପ୍ରମୋସନ କରୁଛନ୍ତି ବଲିଉଡ ସେଲିବ୍ରିଟି। ଶାହାରୁଖ ଖାନ୍, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କ ଭଳି ପଦ୍ମ ପୁରଷ୍କାରପ୍ରାପ୍ତ ସେଲିବ୍ରିଟି ଅର୍ଥ ଲୋଭରେ ଏଭଳି ଗୁଟଖା କମ୍ପାନୀ ସପକ୍ଷରେ ବିଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ପଦାର୍ଥର ଏମାନେ ଭ୍ରମାତ୍ମକ ପ୍ରଚାର ପ୍ରସାର କରୁଛନ୍ତି। ଏମାନଙ୍କ ଏଭଳି ଗୁଟଖା କମ୍ପାନୀ ବିଜ୍ଞାପନରେ ସାମିଲ୍ ହେବା କୌଣସି ଦୃଷ୍ଟିରୁ ଉଚିତ ନୁହେଁ। ଆଉ ଏହା ସେମାନଙ୍କର ନୈତିକତାର ବିରୁଦ୍ଧାଚରଣ କରୁଛି। ଏହା ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି ବୋଲି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ଅଦାଲତରେ। ଆଉ ଏବେ ଏହି ମାମଲାରେ ତିନି ଜଣ ହାଇପ୍ରୋଫାଇଲ୍ ବଲିଉଡ୍ ସେଲିବ୍ରିଟିଙ୍କୁ ନୋଟିସ୍ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି। ଗୁଟଖା ବିଜ୍ଞାପନ ମାମଲାରେ ତିନି କଳାକାରଙ୍କୁ ନୋଟିସ୍ ଜାରି କରାଯାଇଥିବା ଲକ୍ଷ୍ନୌ ବେଞ୍ଚକୁ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ଶୁଣାଣି କରୁଛନ୍ତି। ଏହି ଆବେଦନକୁ ଖାରଜ କରାଯିବା ଉଚିତ୍। ମାମଲାର ପରବର୍ତ୍ତୀ ଶୁଣାଣୀ ତାରିଖ ୨୦୨୪ ମେ ୯ ପାଇଁ ସ୍ଥିର କରାଯାଇଛି। ଜଷ୍ଟିସ ରାଜେଶ ସିଂ ଚୌହାନଙ୍କ ଏକକ ବେଞ୍ଚ ଅବମାନନା ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି। ପାନ ମସଲା ପ୍ରଚାର କରୁଥିବା କଳାକାର ଶାହାରୁଖ୍, ଅକ୍ଷୟ ଏବଂ ଅଜୟଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଭଳି ସ୍ଥିତିରେ ପିଟିସନ୍ ଦାଖଲ କରିଥିବା ଓକିଲ ମୋତିଲାଲ ଯାଦବ କହିଛନ୍ତି, ଯୁବକମାନଙ୍କ ଲାଗି ଏହି ପଦକ୍ଷେପ ଠିକ୍ ନୁହେଁ। କଳାକାରମାନେ ଏଭଳି କରିବା ଦ୍ୱାରା ଲୋକେ ଦ୍ୱନ୍ଦରେ ପଡ଼ୁଛନ୍ତି। ଏହାପରେ ଅବମାନନା ଆବେଦନ ଶୁଣାଣୀ ବେଳେ ହାଇକୋର୍ଟ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁକ୍ରବାର ଦିନ ଡ଼େପୁଟି ସଲିସିଟର୍ ଜେନେରାଲ୍ ଏସ.ବି ପାଣ୍ଡେ ହାଇକୋର୍ଟଙ୍କୁ କହିଛନ୍ତି ଯେ, ଅକ୍ଷୟ କୁମାର, ଶାହାରୁଖ୍ ଖାନ୍ ଏବଂ ଅଜୟ ଦେବଗନଙ୍କୁ କେନ୍ଦ୍ର ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

 

ପୂର୍ବରୁ ମଧ୍ୟ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ଅଦାଲତରେ। ଏହି ଜନସ୍ୱାର୍ଥ ମାମଲାରେ ଅପିଲ୍ କରାଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ କର୍ତ୍ତୃପକ୍ଷ ଏ ବାବଦରେ ସଂପୃକ୍ତ କମ୍ପାନୀମାନଙ୍କୁ ରିପୋର୍ଟ ତଲବ କରନ୍ତୁ। ପଦ୍ମ ବିଜେତାଙ୍କ ଉପରେ ଜରିମାନା ଲଗାଯାଉ। ସେପ୍ଟେମ୍ୱର ୨୦୨୨ରେ ଆହ୍ଲାବାଦ ହାଇକୋର୍ଟଙ୍କ ପାଖରେ ଏହି ମାମଲାର ବିଚାର କରାଯାଇଥିଲା। କୋର୍ଟ ବି ଆବେଦନ ଉପରେ କି ପଦକ୍ଷେପ ନେଲ କହି ତାହାର ଜବାବ ରଖିବାକୁ ନିର୍ଦେଶ ଦେଇଥିଲେ କେନ୍ଦ୍ରକୁ। କିନ୍ତୁ ବର୍ଷେ ପରେ ବି କିଛି ହେଲାନି। ଯାହାକୁ ନେଇ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ମୋତିଲାଲ ଯାଦବ ନାମକ ଓକିଲ ଅଦାଲତ ଅବମାନନା ପିଟିସନରେ ଅନୁରୋଧ କରିଥିଲେ ଯେ, ସେଣ୍ଟ୍ରାଲ କଂଜୁମର ପ୍ରୋଟେକ୍ସନ ଅଥୋରିଟି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେଉ। ପାନ ମସଲା କମ୍ପାନୀ ସମେତ ଅମିତାଭ, ଶାହାରୁଖ, ଅକ୍ଷୟ ଓ ଅଜୟଙ୍କ ଉପରେ ଜରିମାନା କରାଯାଉ। ଅକ୍ଟୋବର ୧୫, ୨୦୨୨ରେ ସେ କ୍ୟାବିନେଟ ସେକ୍ରେଟାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା, ହାଇକୋର୍ଟଙ୍କ ନିର୍ଦେଶ ଥାଇ ବି ସେଣ୍ଟ୍ରାଲ କଂଜୁମର ପ୍ରୋଟେକ୍ସନ ଅଥୋରିଟି ବି ସିସିପିଏ କାହାକୁ ଜବାବ ରଖିବାକୁ ପ୍ରତିନିଧି ପଠାଇବ, ନିଷ୍ପତ୍ତି ନେଇପାରିନଥିଲା। ଚଳିତ ବର୍ଷ ଅଗଷ୍ଟରେ ହାଇକୋର୍ଟ କ୍ୟାବିନେଟ୍ ସେକ୍ରେଟାରୀ ରାଜବୀ ଗୌବା ଓ ସିସିପିଏର ସଚିବ ନିଧି ଖାରେଙ୍କୁ ଏ ସମ୍ପର୍କରେ ନୋଟିସ କରିଥିଲେ। ଡେପୁଟି ସଲିସିଟର ଜେନେରାଲ ଅଫ ଇଣ୍ଡିଆ ଏସ.ବି.ପାଣ୍ଡେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟକୁ ଅବଗତ କରିଥିଲେ ଯେ, ବିମଲ, କମଲା ପସନ୍ଦ ଓ ପାନ ବାହାର ଭଳି ତିନି କମ୍ପାନୀଙ୍କୁ ନୋଟିସ ଜାରି କରିଥିଲେ।

 

 

LEAVE A REPLY

Please enter your comment!
Please enter your name here