ହାତ ଦଳରେ ଖସୁଛି ଅତଡ଼ା 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଏପଟେ ହାତ ଦଳରେ ଅତଡ଼ା ଧସିବା ସ୍ଥିତି। ପ୍ରତିଦିନ ଦଳକୁ ବାଏ ବାଏ କରି ଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍। ୨୪ ମହାଲଢ଼େଇ ସଜବାଜ ଭିତରେ ଡଜନେରୁ ଅଧିକ ନେତା ହାତ ଛାଡ଼ି ଅନ୍ୟ ଦଳକୁ ଡେଇଁଲେଣି। ଆଉ ଏପଟେ ବିଳମ୍ବରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରଠୁ ତ ଅସମ୍ଭାଳ ସ୍ଥିତି। କେଉଁଠି ବିଦ୍ରୋହ ତ କେଉଁଠି ଅସନ୍ତୁଷ୍ଟଙ୍କ ମେଳି ଦଳର ଟେନସନ୍ ବଢ଼େଇ ଦେଇଛି। ୨୪ ମହାଲଢ଼େଇ ବେଳେ ରାଜ୍ୟ କଂଗ୍ରେସରେ ମହାସଂଗ୍ରାମ ନାରା ୯ରୁ ୯୦। ହେଲେ ନିଇତି ଦଳ ଛା଼ଡ଼ିଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍ ନେତା। ସବୁଠୁ ବଡ଼ କଥା ହେଉଛି କଂଗ୍ରେସର ଯେଉଁ ୯ ସିଟିଂ ଏମଲ୍ଏ ଅଛନ୍ତି, ସେଭିତରୁ ଜଣେ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡ଼ି ବିଜେଡି ଟିକେଟରେ ମୈଦାନକୁ ଓହ୍ଲେଇଲେଣି। ଅନ୍ୟପଟେ ଆଉ ଦୁଇ ବିଧାୟକ ଦଳୀୟ ଟିକଟ୍ ପାଇ ବି ଶଙ୍ଖ ଧରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି।

ଯେତେ କଂଗ୍ରେସ୍ ନେତା ଦଳ ଛାଡ଼ୁଛନ୍ତି ସେ ଭିତରୁ ପ୍ରାୟ ସମସ୍ତେ ଶାସକ ଦଳକୁ ଡେଉଁଥିଲା ବେଳେ, ୟା ଭିତରେ କେବଳ ନିହାର ମହାନନ୍ଦ ଅତାବିରାରୁ ପଦ୍ମ ଦଳରୁ ଟିକେଟ୍ ଧରିଛନ୍ତି। ଅଧିରାଜ ଓ ଅଂଶୁମାନଙ୍କୁ ବିଜେଡି ଟିକେଟ୍ ମିଳି ସାରିଥିଲା ବେଳେ ଚିରଞ୍ଜିବୀ ବିଶ୍ୱାଳଙ୍କୁ ବି ବିଜେଡି କଟକ-ବାରବାଟୀ ପାଇଁ ଅଙ୍କ କଷୁଥିବା କୁହାଯାଉଛି। କେବଳ ସେତିକି ନୁହେଁ, ବିଳମ୍ବରେ ମାତ୍ର ୪୭ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ବି, ତାକୁ ନେଇ ମଧ୍ୟ ରାଜ୍ୟ କଂଗ୍ରସରେ ଅସମ୍ଭାଳ ସ୍ଥିତି। ଏମିତିକି କଂଗ୍ରେସ ନେତା ଶିଶିର ଗମାଙ୍ଗ ଟିକେଟ୍ ବଣ୍ଟନରେ ଡିଲର ଅଭିଯୋଗ ଆଣିଲେଣି ତ ଚିତ୍ରକୋଣ୍ଡାର ଆଶାୟୀ ଶରତ ଚନ୍ଦ୍ର ବୁରୁଦା ଟିକେଟ୍ ବିକ୍ରିର ଅଭିଯୋଗ କଲେଣି। ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

କେବଳ ସେତିକି ନୁହେଁ, ଦଳର ପ୍ରାର୍ଥୀଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ତୀବ୍ର ହେଲାଣି ବିରୋଧର ସ୍ୱର। କେଉଁଠି ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଅସନ୍ତୋଷଙ୍କ ମେଳି, ତ କେଉଁଠି ଇସ୍ତଫା ପର୍ବ। ବହୁ ମାନସମନ୍ଥନ ପରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ପରେ ଏ ବିରୋଧ ଭିତରେ ପିସିସି ସଭାପତି କହିଛନ୍ତି ଏପ୍ରିଲ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଦଳର ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଦଳ ଛଡ଼ା ନେତାଙ୍କ ସ୍ଥାନରେ ଯୁବ ଚେହେରାକୁ ସୁଯୋଗ ଦିଆଯିବ। ସେପଟେ ବରିଷ୍ଠ କଂଗ୍ରେସ୍ ନେତା ସୁର ରାଉତରାୟ, ଏଥର ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିବା ବେଳେ, ବିଜେଡି ଟିକେଟ୍ ପାଇଥିବା ପୁଅ ମନ୍ମଥଙ୍କ ପାଇଁ ବାହାରିବା ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here