ବିପ୍ଲବୀ ପରିକ୍ରମା ବ୍ୟୁରୋ :- କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ବି ଦେଶର ଅଧିକାଂଶ ଭୋଟର ଭରସା କରିପାରୁ ନାହାନ୍ତି । ତେଣୁ କଂଗ୍ରେସ ଅନେକ ସ୍ଥାନରେ ମାଡ଼ ଖାଉଛି । ଆଞ୍ଚଳିକ ଦଳ ଗୁଡ଼ିକୁ ଧରି କଂଗ୍ରେସ ସିନା ଲୋକସଭାରେ ଦୃଢ଼ ବିରୋଧୀ ଦଳ ଭାବେ ଉଭା ହୋଇଛି, ବାସ୍ତବରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଖରାପ ହେଉଛି । ରାହୁଲଙ୍କ ଗ୍ରହଣୀୟତା ବଢ଼ୁନାହିଁ । ଯାହା ଦର୍ଶାଇଛି ହରିଆଣା ନିର୍ବାଚନ । ହରିଆଣାରେ ରେ ଲୋକେ କଂଗ୍ରେସକୁ ଗ୍ରହଣ କରିବା ଅପେକ୍ଷା ବିଜେପିକୁ ତୃତୀୟଥର କ୍ଷମତା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ୨୦୧୯ରେ ବିଜେପି ୪୦ଟି ଆସନ ପାଇଥିବା ବେଳେ ୨୦୨୪ରେ ୪୮ଟି ଆସନ ଦଖଲ କରି ଏକକ ସଂଖ୍ୟା ଗରିଷ୍ଠତା ପାଇଛି । କେବଳ ସେତିକି ନୁହେଁ ଜମ୍ମୁ କାଶ୍ମୀରରେ ଫାରକୁ ଅବଦୁଲ୍ଲାଙ୍କ ପାଇଁ କଂଗ୍ରେସ ସେଠାରେ କ୍ଷମତାସୀନ ହୋଇ ପାରିଛି । ଲଗାତର ୨ୟ ଥର ବିଜେପିକୁ ସରକାର ଗଠନର କ୍ଷମତା ଦେବା ପରେ ତୃତୀୟଥର ପରିବର୍ତ୍ତନ ହେବ ବୋଲି କୁହାଯାଉଥିଲା । ଏକଜିଟ ପୋଲ ମଧ୍ୟ ସମାନ କହୁଥିଲା । କଂଗ୍ରେସ ଅଧିକ ଆତ୍ମବିଶ୍ୱାସୀ ହୋଇଗଲା । ହେଲେ ଲୋକେ କଂଗ୍ରେସକୁ ଛାଡ଼ି ବିଜେପିକୁ ପୁଣି ଥରେ ଆପଣେଇନେଲେ । ବିଜେପି ଏଥର ଅଧିକ ୮ଟି ଆସନ ପାଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି ।
ଜମ୍ମୁ କାଶ୍ମୀରରେ ୨୦୧୪ ପରେ ଆଉ ନିର୍ବାଚନ ହୋଇ ନାହିଁ । ୨୦୧୪ରେ ୨୫ଟି ଆସନରେ ବିଜେପି ବିଜୟୀ ହୋଇଥିଲା । ମୁଫତି ମହମ୍ମଦ ସହୀଦଙ୍କ ଜେକେ ପିଡିପି ୨୮ଟି ଆସନ ପାଇଥିବା ବେଳେ ନେସନାଲ କନଫରେନ୍ସ ୨୮ଟି ଓ କଂଗ୍ରେସ ୧୨ଟି ଆସନରେ ବିଜୟୀ ହୋଇଥିଲା । ପିଡିପିର ମେହେବୁବା ମୁଫତି ଶେଷ ମୁଖ୍ୟମନ୍ତ୍ରୀ ଥିଲେ । ଏହାପରେ କେନ୍ଦ୍ରୀୟ ଶାସନ ରହିଥିଲା । ଇତିମଧ୍ୟରେ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇଛି । ୨୦୨୪ ନିର୍ବାଚନରେ ବିଜେପିକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ଯେଉଁ ଆଶା ବିରୋଧୀ ରଖିଥିଲେ ତାହା ମିଳେଇ ଯାଇଛି । ଏଥର ବିଜେପି ଜମ୍ମୁ କାଶ୍ମୀରରେ ୨୯ଟି ଆସନ ନେଇ ଦୃଢ଼ ବିରୋଧୀ ଦଳ ଭାବେ ଛିଡ଼ା ହୋଇଛି । ଫାରୁକ ଅବଦୁଲ୍ଲାଙ୍କ ଦଳ ସଂଖ୍ୟା ଗରିଷ୍ଠତା ପାଇଛି । ଏଠାରେ ବି କଂଗ୍ରେସର ସେପରି ଗ୍ରହଣୀୟତା ଆସିଲା ନାହିଁ । ଯାହା ସ୍ପଷ୍ଟ ଦେଖାଉଛି କଂଗ୍ରେସ ଦେଶରେ ଗ୍ରହଣୀୟ ହେଉନାହିଁ ।