ବିପ୍ଲବୀ ପରିକ୍ରମା ଡିଜିଟାଲ :- ସୁନା କିଣୁଥିଲେ ସତର୍କ ହୁଅନ୍ତୁ । କାରଣ ବଜାରରେ ମିଳୁଛି ନକଲି ସୁନା । ହଲ୍ ମାର୍କ ଲୋଗୋ ଲଗାଇ ବି ଡୁପ୍ଲିକେଟ୍ ସୁନା ବିକ୍ରି କରୁଛନ୍ତି ଦୋକାନୀ । ହଲମାର୍କ ନାଁରେ ବଜାରରେ ବିକ୍ରି ହେଉଛି ନକଲି ସୁନା । ଶୋଷଣର ଶିକାର ହେଉଛନ୍ତି ଗ୍ରାହକ । ମାଲାମାଲ ହେଉଛନ୍ତି ଅଳଙ୍କାର ଦୋକାନୀ । କେତେବେଳେ ସୁନା ମାନରେ ତ କେବେ ମାପରେ ତ୍ରୁଟି । ଚଢ଼ାଉ ବେଳେ ଧରାପଡିଛି ଏମିତି ଠକେଇ । ରାଜ୍ୟରେ ୫ଟି ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ହଲମାର୍କ ନାଁରେ ନକଲି ସୁନା ବିକ୍ରି ଅଭିଯୋଗରେ କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ନାଁରେ ମାମଲା ହୋଇଛି । ସେହିପରି ଜଗତସିଂହପୁର କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଚାନ୍ଦି ଜୁଏଲର୍ସ, ବରଗଡ଼ ବରପାଲିର ରାଧାକାନ୍ତ ଓ ସମ୍ବଲପୁର ଅଳଙ୍କାର ଜୁଏଲର୍ସର ବାତିଲ ହୋଇଛି ଲାଇସେନ୍ସ । କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ପଞ୍ଜୀକରଣ ନ କରି ହଲମାର୍କ, ଅଣ ହଲମାର୍କ, ନକଲି ହଲମାର୍କ ସୁନା ଅଳଙ୍କାର ବିକ୍ରି କରୁଥିଲା । ସେହିପରି କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ ବିକ୍ରି କରୁଥିଲା ବିନା ହଲମାର୍କ ସୁନା । ଅନ୍ୟ ୩ଟି ଜୁଏଲାର୍ସ ସୁନା ଅଳଙ୍କାର ନମୁନା ପରୀକ୍ଷାରେ ବିଫଳ ହେବାରୁ ଲାଇସେନ୍ସ ବାତିଲ କରିଛନ୍ତି ସରକାର । ମନ୍ତ୍ରୀ କହିଛନ୍ତି, ଆଗକୁ ଆହୁରି ଜୋରଦାର ହେବ ଚଢ଼ାଉ । ନକଲି ସୁନା ବିକ୍ରି କରୁଥିଲେ ସିଲ୍ ହେବ ଦୋକାନ ।