ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏଯାଏଁ ଶୀତ ଯାଇନି। କୁହୁଡ଼ି ଛାଡ଼ିନି। ହେଲେ ଗ୍ରୀଷ୍ମର ଟାଇଁ ଟାଇଁ ଖରା ଅସ୍ତବ୍ୟସ୍ତ କରିପକାଇଲାଣି। ଫେବ୍ରୁଆରି ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା lଉପାନ୍ତରୁ ଉପକୂଳ ହେଉ କି ଉତ୍ତରରୁ ଦକ୍ଷିଣ, କୌଣସି ଅଞ୍ଚଳ ବି ଏଥିରୁ ବାଦ୍ ପଡ଼ୁନି। ପୁରୀ ଭଳି ଉପକୂଳ ସହରରେ ଏବେ ଦିନ ଓ ରାତି ତାପମାତ୍ରା ମଧ୍ୟରେ ବ୍ୟବଧାନ ମାତ୍ର ୬.୨ ଡିଗ୍ରି ରହିଛି। କୋରାପୁଟ ପରି ଥଣ୍ଡା ଅଞ୍ଚଳ ଏବେ ଦିନରେ ତତଲା ତାୱାରେ ଭାଜି ହେଉଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ପରି ସହର କଥା ନ କହିବା ଭଲ। ଫେବ୍ରୁଆରି ଆରମ୍ଭରୁ ଏଠାରେ ପାରଦ ୩୫ ଡେଇଁଗଲାଣି। ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶ୍ବସ୍ତରୀୟ ପାଣିପାଗ ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି। ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍ଓ) ଚେତାବନୀ ଅନୁଯାୟୀ ରାଜ୍ୟରେ ୭୦ରୁ ୮୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଅର୍ଥାତ୍ ମାର୍ଚ୍ଚ ୧୫ରୁ ଜୁନ୍ ୧୫ ମଧ୍ୟରେ ୯୦ ଦିନ ମଧ୍ୟରୁ ୮୫% ଦିନ ପ୍ରଚଣ୍ଡ ରୌଦ୍ର ସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ। ୨୦୨୫ ଜାନୁଆରି ଦେଶର ଉତ୍ତପ୍ତ ମାସ ହୋଇଛି। ପୃଥିବୀର ହାରାହାରି ତାପମାତ୍ରା ପ୍ରଥମ ଥର ପାଇଁ ୧୩.୬ ଡିଗ୍ରି ଛୁଇଁବା ଚିନ୍ତାର କାରଣ ପାଲଟିଛି। ଏବର୍ଷ ଲଗାତାର ୧୫ ଦିନ ଧରି ଉପକୂଳ ଓଡ଼ିଶାରେ କୁହୁଡ଼ି ପଡ଼ିବା ସହ ସେଥିରୁ ରାଜଧାନୀରେ ୧୦ ଦିନ ଯାଏଁ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ୍ ରହିଥିଲା। ଲଗାତାର ଗୁରୁଚାପ ବଳୟ ଓଡ଼ିଶା ଉପକୂଳକୁ କବ୍ଜାରେ ରଖିବା ଦ୍ବାରା ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନର ଅବରୋଧ ତଥା ପଶ୍ଚିମାଝଡ଼ର ବାରମ୍ବାର ଆଗମନ ଏଭଳି ସ୍ଥିତିକୁ ପ୍ରଶମିତ କରିଛି। ଚଳିତବର୍ଷ ବଡ଼ କଥା ହେଉଛି ଯେ ୨୦୨୩ ଓ ୨୦୨୪ ଲଗାତାର ଭାବେ ବିଶ୍ବର ଉତ୍ତପ୍ତ ବର୍ଷ ପାଲଟିଛି। ବିଶ୍ୱତାପନର ପ୍ରଭାବ ଦିନକୁ ଦିନ ତୀବ୍ରତର ହେଉଥିବାରୁ ୨୦୨୪ରେ ବିଶ୍ବର ହାରହାରି ତାପମାତ୍ରା ପ୍ରଥମ ଥର ୧.୫ ଡିଗ୍ରି ଅତିକ୍ରମ କରିଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ପାଣିପାଗରେ ଦେଖିବାକୁ ମିଳିଛି। ୨୦୨୪ ମସିହାରେ ୩୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଏବଂ ଚଳିତବର୍ଷ ଜାନୁଆରି ଅଧାରୁ ଶୀତ ଗାଏବ, ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବର ପ୍ରତିଫଳନ। ସେହିପରି ସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୧ ଦିନ ତୁଳନାରେ ତିନି ଗୁଣ ଅଧିକ ରହିବା ଚିନ୍ତାର କାରଣ ପାଲଟିଛି।