ସୃଷ୍ଟି ହେଲା ଲଘୁଚାପ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଚଳିତ ଥର ଓଡ଼ିଶାକୁ ମଧ୍ୟ ମୌସୁମୀ ସଅଳ ସ୍ପର୍ଶ କରିବ। ଗୁରୁବାର ସୁଦ୍ଧ‌ା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳୁ ଓଡ଼ିଶା ଉପକୂଳସ୍ଥ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ମେଘୁଆ ପାଗ ଜାରି ରହିବା ସହ ଅଳ୍ପବହୁତ ବର୍ଷା ହୋଇଛି। ଲଘୁଚାପ କ୍ଷେତ୍ରଟି ଧୀରେଧୀ‌ରେ ଉତ୍ତର ଦିଗକୁ ଗତି କରିବ ଓ ଆସନ୍ତା ୪୮ ଘଣ୍ଟାରେ ଅଧିକ ସ୍ପଷ୍ଟ ରୂପ ନେବ। ଫଳରେ ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା, ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅନ୍ୟପକ୍ଷରେ ଚଳିତ ବର୍ଷ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କେବଳ ସଅଳ ଅଗମନ ନାହିଁ ଏହା ପ୍ରଭାବରେ ଦେଶରେ ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଫଳରେ ଦେଶରେ ସର୍ବୋଚ୍ଚ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସମ୍ମିଳନୀରେ ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍‌ ରବିଚନ୍ଦ୍ରନ ଓ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଥିବା ସୂଚନା ମୁତାବକ, ଆସନ୍ତା ଜୁନ୍‌ରେ ସାରା ଦେଶରେ ୧୬୬.୯ ମିମିରୁ ଅଧିକ ବର୍ଷା ହେବ ଯାହାକି ଦୀର୍ଘଅବଧି ହାରଠାରୁ ୧୦୮% ଅଧିକ। ଏହି ଆକଳନ ଅନୁଯାୟୀ, ପୂର୍ବ ଭାରତରେ ବି ଜୁନ୍‌ରେ ସ୍ବାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଥିବାରୁ ଓଡ଼ିଶାରେ ମଧ୍ୟ ଜୁନ୍‌ରେ ଅଧିକ ବର୍ଷିବ ବୋଲି ଆଶା କରାଯାଉଛି।

 

ପାଣିପାଗ କେନ୍ଦ୍ରର ସୂଚନ‌ା ମୁତାବକ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବ‌ାୟୁ କେନ୍ଦ୍ରୀୟ ଆରବ ସାଗର‌ର ଅବଶିଷ୍ଟ ଅଂଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନାର ଆଉ କିଛି ଅଂଶ,ଛତିଶଗଡ଼ ଓ ଓଡ଼ିଶାର କିଛି କିଛି ଅଂଶ, ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଅଧିକାଂଶ ଅଂଶ ଓ ଉତ୍ତର ବଙ୍ଗୋପସାଗରର କିଛି ଅଂଶକୁ ଅଗ୍ରସର ହେବ। ତେବେ ଆଜି ସୃଷ୍ଟ ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ ଅବପାତରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ‘ସେଣ୍ଟର ଫର ଏନ୍‌ଭାଇରନ୍‌ମେଣ୍ଟ୍‌ ଆଣ୍ଡ୍‌ କ୍ଲାଇମେଟ୍‌ (ସିଇସି)’ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବୃଷ୍ଟିପାତ ହୋଇପାରେ। ବିଶେଷ କରି ଉପକୂଳ ଅଞ୍ଚଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ସିଇସିର ବୁଲେଟିନ୍‌ରେ କୁହାଯାଇଛି। ବୁଲେଟିନ୍ ଅନୁଯାୟୀ, ମେ ୨୮ରୁ ୩୦ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଦେଓଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବୃଷ୍ଟିପାତ ହୋଇପାରେ। ଏହି ବୃଷ୍ଟିପାତ ବିଶେଷ କରି ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଅବବାହିକା ଅଞ୍ଚଳରେ ଅନୁଭୂତ ହେବ। ଏହା ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଏଥିରେ ପ୍ରକାଶ କରାଯାଇଛି। ଏହା ପରେ ଜୁନ ୧ ରୁ ୩ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଦିନର ଉତ୍ତାପ ବୃଦ୍ଧି ପାଇପାରେ, ମାତ୍ର ଏହାପରେ ବୃଷ୍ଟିପାତର ପରିମାଣ ବୃଦ୍ଧିପାଇବ।

LEAVE A REPLY

Please enter your comment!
Please enter your name here