ଆଜିଠୁ ଆରମ୍ଭ ହକି ଇଣ୍ଡିଆ ଲିଗ୍‌ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜିଠାରୁ ହିରୋ ହକି ଇଣ୍ଡିଆ ଲିଗ୍‌ର ବହୁ ପ୍ରତିକ୍ଷୀତ ଐତିହାସିକ ପ୍ରତ୍ୟାବର୍ତ୍ତନ ଘଟିବାକୁ ଯାଉଛି। ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହେବ ଏହି ଲିଗ୍‌। ଟିମ୍‌ ଗୋନାସିକ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।ସାତ ବର୍ଷର ବ୍ୟବଧାନପରେ ଫେରୁଥିବା ଏହି ଲିଗ୍‌, ପୂର୍ବାପେକ୍ଷା ଅଧିକ ଦମ୍‌ଦାର ଓ ଆକର୍ଷଣୀୟ ହେବ। ଏନେଇ ଆୟୋଜକ ହକି ଇଣ୍ଡିଆ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇସାରିଛି। ହକିର ଅନ୍ତୁଡ଼ିଶାଳଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ଏହି ହକି ମହାକୁମ୍ଭ ଆୟୋଜିତ ହେଉଥିବାରୁ, ଏହାକୁ ନେଇ ହକିପ୍ରେମୀ ମହଲରେ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଛି।

ଏଥର କେବଳ ପୁରୁଷ ନୁହେଁ, ବରଂ ପ୍ରଥମଥର ପାଇଁ ମହିଳା ଲିଗ୍‌ ମଧ୍ୟ ଆୟୋଜନ କରାଯାଉଛି। ପୁରୁଷ ଲିଗ୍‌ ରାଉରକେଲାରେ ଖେଳାଯିବାକୁ ଥିବାବେଳେ ରାଞ୍ଚିରେ ମହିଳା ଲିଗ୍‌ ଖେଳାଯିବ।ପୁରୁଷ ଲିଗ୍‌ରେ ୮ଟି ଓ ମହିଳାରେ ୪ଟି ଦଳ ନିଜର କଳାକୌଶଳ ପ୍ରଦର୍ଶନ କରିବେ। ପୁରୁଷ ଲିଗ୍‌ ମୋଟ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଡିସେମ୍ବର ୨୮ ତାରିଖରୁ ଜାନୁଆରି ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ପ୍ରଥମ ପର୍ଯ୍ୟାୟରେ ସମସ୍ତ ୮ଟି ଦଳ ପରସ୍ପର ମଧ୍ୟରେ ଖେଳିବେ। ଜାନୁଆରି ୧୯ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟରେ ଦଳଗୁଡିକୁ ଦୁଇଟି ପୁଲ୍‌ରେ ବିଭକ୍ତ କରାଯାଇଛି।

 

ଉଲ୍ଳେଖଯୋଗ୍ୟ, ବଲିଉଡ୍‌ ତାରକାଙ୍କୁ ନେଇ ରଙ୍ଗାରଙ୍ଗ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନରେ ଦେଶ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି। ପ୍ରତିଯୋଗିତା ଅବ୍ୟବହତି ପୂର୍ବରୁ ଷ୍ଟାଡିୟମ ପରିସରରେ ୬ଟି ଦଳର ଅଧିନାୟକ ଗଣମାଧ୍ୟମର ସମ୍ମୁଖୀନ ହୋଇଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂର୍‌ମା ହକି କ୍ଲବର ଅଧିନାୟକ ହର୍ମନପ୍ରୀତ ସିଂହ, ୟୁପି ରୁଦ୍ରସ୍‌ର ହାର୍ଦ୍ଦିକ ସିଂହ, ଟିମ୍‌ ଗୋନାସିକାର ମନପ୍ରୀତ ସିଂହ, ହାଇଦ୍ରାବାଦ ତୁଫାନ୍ସର ସୁମିତ ବାଲ୍ମିକୀ, କଳିଙ୍ଗ ଲାନ୍‌ସର୍ସ‌୍‌ର କ୍ରିଷନ ବାହାଦୂର ପାଠକ, ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍‌ର ସମଶେର୍‌ ସିଂହ ଓ ଜ୍ୟାକବ୍‌ ହ୍ବିଟନ୍‌ ପ୍ରମୁଖ ରାଉରକେଲା ଷ୍ଟାଡିୟମ ତଥା ଏଠାକାର ଦର୍ଶକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here