ବିଜାପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଜାପୁର ଜିଲ୍ଲା କୁଟୁର ଥାନା ଅନ୍ତର୍ଗତ କାମ୍ବେଲି ଗାଁ ନିକଟରେ ସୋମବାର ଅପରାହ୍ନ ୨ଟା ୧୫ରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ କରି ଡିଆର୍ଜି ଯବାନଙ୍କ ଭ୍ୟାନ୍କୁ ଉଡ଼ାଇ ଦେଇଛନ୍ତି ନକ୍ସଲ । ଘଟଣାସ୍ଥଳରେ ୮ଯବାନ ସହିଦ ହୋଇଛନ୍ତି। ସହିଦ ଯବାନମାନେ ହେଲେ କୋରସା ବୁଦ୍ଧୁରାମ, ସୋମଡ଼ୁ ବେଟିଲି, ଦୁମ୍ମା ମାଡ଼କାମ, ବମନ ସୋଡ଼ି, ହରିଶ କୋରାମ, ପଣ୍ଡରୁ ପୋୟମ, ସୁଦର୍ଶନ ବେଟି ଓ ସୁଭରନାଥ ୟାଦବ। ଭ୍ୟାନ୍ ଡ୍ରାଇଭର୍ଙ୍କ ମଧ୍ୟ ମୃତ୍ୟୁ ହୋଇଛି। ୮ରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଏୟାରଲିଫ୍ଟ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରବିବାର ଅବୁଝମାଡ଼ ଜଙ୍ଗଲରେ ବଡ଼ ଅପରେସନ୍ କରିଥିଲେ ଯବାନ। ଏହି ଅପରେସନ୍ରେ ୫ଜଣ ନକ୍ସଲ ନିହତ ହୋଇଥିଲେ । ଲମ୍ବା ଅପରେସନ୍ ଯୋଗୁ ଥକି ଯାଇଥିବା ଡିଆର୍ଜି ଯବାନଙ୍କୁ କ୍ୟାମ୍ପ୍କୁ ଫେରାଇ ଆଣିବା ପାଇଁ ସୋମବାର ପିକ୍ଅପ୍ ଭ୍ୟାନ୍ ଯାଇଥିଲା। ପାଖାପାଖି ୨୦ଜଣ ଯବାନ ଗାଡ଼ିରେ ବସି କ୍ୟାମ୍ପ୍କୁ ଫେରିବା ରାସ୍ତାରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ କରି ଗାଡ଼ିକୁ ଉଡ଼ାଇ ଦେଇଥିଲେ। ବିସ୍ଫୋରଣ ଲାଗି ୫୦କିଲୋ ବାରୁଦ ବ୍ୟବହାର କରିଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଗାଡ଼ି ପ୍ରାୟ ୧୫ଫୁଟ ଉଚ୍ଚକୁ ଉଡ଼ିଥିଲା। ଆଖପାଖ ଅଞ୍ଚଳ ବିସ୍ଫୋରଣରେ କମ୍ପି ଯାଇଥିଲା। ଘଟଣାସ୍ଥଳରେ ୫ଫୁଟ ଗଭୀର ଗାତ ହୋଇଯାଇଛି। ଗାଡ଼ି ସଂପୂର୍ଣ୍ଣ ଚୂରମାର ହୋଇଯାଇଥିଲା ବେଳେ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମରଶରୀର ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। ନକ୍ସଲ ହମ୍ଲା ନେଇ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳକୁ ଅତିରିକ୍ତ ଯବାନଙ୍କୁ ପଠାଯାଇଛି। ନକ୍ସଲଙ୍କ ସନ୍ଧାନ ଜୋର୍ଦାର ହେବା ସହ ବିଭିନ୍ନ ସ୍ଥାନରେ ନାକା ଲଗାଇ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଏହି ବର୍ବରକାଣ୍ଡର ସଶସ୍ତ୍ର ଜବାବ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି।