BeMC କାର୍ଯ୍ୟାଳୟରେ ହାଇଡ୍ରାମା : ପଦାରେ ପଡିଲା ଦଳୀୟ ଗୋଷ୍ଠୀ କନ୍ଦଳ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବୁଧବାର ନିଗମର ବୈଠକ ଆରମ୍ଭ ହେବା ପରେ ପ୍ରଥମେ ବ୍ରହ୍ମପୁର ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ ନେଇ ଦୁଇ କର୍ପୋରେଟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ସାଧାରଣ ବୈଠକରେ ଅଧ୍ୟକ୍ଷତା କରୁଥିଲେ ମେୟର ସଂଘମିତ୍ରା ଦଳେଇ । ପ୍ରଥମେ ବୈଠକ ଏଜେଣ୍ଡା ପାଠ ପରେ ସହରର ୨୬ ନମ୍ବର ୱାର୍ଡର କର୍ପୋରେଟର ଧିରେଶ ସାବତ ଷ୍ଟାଣ୍ଡି କମିଟିର ନିର୍ବାଚନ କରିବା ନିମନ୍ତେ ଏକ ଲିଖିତ ପ୍ରସ୍ତାବ ମେୟରଙ୍କୁ ପ୍ରଦାନ କରିଥିଲେ ।

ଏହି ପ୍ରସ୍ତାବକୁ ଗୋଟିଏ ଗୋଷ୍ଠୀର କର୍ପୋରେଟରମାନେ ସମର୍ଥନ କରିଥିବା ବେଳେ ଅନ୍ୟ ଗୋଷ୍ଠୀର କର୍ପୋରେଟରମାନେ ଗୃହରେ ବିରୋଧ କରିଥିଲେ । ପ୍ରସ୍ତାବକୁ ସମର୍ଥନ କରୁଥିବା କର୍ପୋରେଟରମାନେ ନିଜ ଚେୟାରରୁ ଓହ୍ଲାଇ ତଳେ ବସି ପ୍ରସ୍ତାବକୁ ସମର୍ଥନ କରି ନିର୍ବାଚନ କରିବା ପାଇଁ ମେୟର ଓ କମିଶନରଙ୍କୁ କହିଥିଲେ । ଯାହାଫଳରେ ଦୁଇ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ହୋହାଲ୍ଲା ଚାଲିଥିଲା । କିଛି ସମୟ ଧରି ନିଗମର ପୁରାତନ ୧୦ ଗୋଟି ଷ୍ଟାଣ୍ଡିଂ କମିଟିକୁ ଭଙ୍ଗ କରି ନୂତନ କମିଟି ଗଠନ କରିବା ପାଇଁ ଦାବିକୁ ଯିଦ୍ ଧରିଥିଲେ । ପରେ କିଛି ମହିଳା କର୍ପୋରେଟର ଉକ୍ତ ଦାବିକୁ କାର୍ଯ୍ୟକାରୀ କରିବାକୁ ଧାରଣାରେ ବସି ରହିଥିଲେ । ଏହାକୁ ନେଇ ଲିଖିତ ପ୍ରସ୍ତାବକୁ ରଖାଯାଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ରହିଥିବା ନିୟମ ଅନୁଯାୟୀ କାର୍ଯ୍ୟ ହେବ ବୋଲି ମେୟର ନିଜର ବିବୃତ୍ତି ରଖିବା ପରେ ଗୃହ ଶାନ୍ତ ପଡ଼ିଥିଲା । ଏହାପରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା । ଆଉ ଶେଷରେ ନିଗମର ସଫେଇ କର୍ମଚାରୀଙ୍କ ବିଲ୍ ପ୍ରଦାନ କରାଯିବା ଘଟଣାକୁ ନେଇ କମିଶନରଙ୍କୁ କର୍ପୋରେଟର ପ୍ରଶ୍ନ କରିଥିଲେ । କର୍ପୋରେଟରଙ୍କୁ ନଜଣାଇ ବିଲ୍ ପାରିତ ହେବାକୁ ବିରୋଧ କରି ନିଗମର ଜଣେ କର୍ପୋରେଟର କମିଶନରଙ୍କୁ ଆକ୍ଷେପ କରି କହିବା ପରେ କମିଶନର ସମେତ ଅନ୍ୟ ଅଧିକାରୀମାନେ କକ୍ଷତ୍ୟାଗ କରିବାକୁ କହିଥିଲେ ।

ସୂଚନା ପ୍ରକାରେ,ଗତ ପୌର ନିର୍ବାଚନ ପରେ ଗତ ୨୦୨୨ ମସିହାରୁ ବ୍ରହ୍ମପୁର ମହାନଗର ନିଗମରେ ଗଠିତ ହୋଇଛି ବିଭିନ୍ନ ଷ୍ଟାଣ୍ଡି କମିଟି । ପ୍ରଥମେ ୨୦୨୨ ଓ ପରେ ୨୦୨୩ରେ ହୋଇଥିବା ଷ୍ଟାଣ୍ଡି କମିଟିର ଚେୟାରମେନ ଭାବେ ମେୟର ଓ କିଛି କର୍ପୋରେଟର ସମସ୍ତଙ୍କ ସମର୍ଥନରେ ରହିଥିଲେ । ବର୍ତ୍ତମାନ ୨୦୨୪ ଆର୍ଥିକ ବର୍ଷ କିଛି ମାସ ଚାଲିଥିବା ବେଳେ ଅଧାରୁ ଷ୍ଟାଣ୍ଡି କମିଟି ନିର୍ବାଚନ ପାଇଁ ଗୋଟିଏ ଗୋଷ୍ଠୀର କର୍ପୋରେଟର ଦାବି ରଖୁଛନ୍ତି । ଏହି ଦାବି ଯୁକ୍ତିଯୁକ୍ତ ନୁହେଁ । ଏହାଛଡ଼ା ଜଣେ କମିଶନରଙ୍କୁ ଏଭଳି କର୍ପୋରେଟର ମାନେ କକ୍ଷତ୍ୟାଗ କରିବାକୁ କହିବା ମଧ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି ମେୟର ଓ ଅପର ଗୋଷ୍ଠୀର‌ କର୍ପୋରେଟର ।

LEAVE A REPLY

Please enter your comment!
Please enter your name here