ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଇଏଏସ ସୁଜାତା ଆର କାର୍ତ୍ତିକେୟନ,ଅତିରିକ୍ତ ୬ ମାସର ଛୁଟି ଆବେଦନକୁ ମୋହନ ସରକାର ଖାରଜ କରିବା ପରେ ବୁଧବାର ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସୁଜାତା ଯୋଗ ଦେବା ପରେ ନଭେମ୍ବର ୨୭କୁ ନେଇ ବଢିଲା ଚର୍ଚ୍ଚା । କାହିଁକି ନା ଠିକ୍ ବର୍ଷେ ତଳେ ଏହି ୨୭ ତାରିଖରେ ହିଁ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ସ୍ୱାମୀ ଭି.କେ. ପାଣ୍ଡିଆନ ।
ନିର୍ବାଚନରେ ବିଜେଡିର ପରାଜୟ ଏବଂ ବିଜେପି ସରକାରକୁ ଆସିବାରୁ ହଠାତ୍ ୬ ମାସିଆ ଛୁଟିରେ ପଳାଇ ଥିଲେ ସୁଜାତା । ନଭେମ୍ବର ୪ରେ ଆଉ ୬ ମାସ ଛୁଟି ବଢ଼ାଇବାକୁ ଆବେଦନ କରିଥିଲେ, ଯାହାକୁ ସରକାର ଗ୍ରହଣ କରିନାହାନ୍ତି । ନିର୍ବାଚନ ବେଳେ ସୁଜାତାଙ୍କ ବିରୋଧରେ ସର୍ଭିସ୍ କଣ୍ଡକ୍ଟ ରୁଲ୍ ଉଲ୍ଲଙ୍ଘନ ନେଇ ବିଜେପି କମିଶନଙ୍କ ଦ୍ୱାରସ୍ଥ ହେବାରୁ ବାଜିଥିଲା ନିର୍ବାଚନୀ ଛାଟ । ଦୀର୍ଘ ଦିନ ମିଶନ୍ ଶକ୍ତିକୁ କବଜାରେ ରଖି ଶାସକ ବିଜେଡି ଦଳକୁ ସେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା ।ଅନ୍ୟପଟେ ସୁଜାତା ଚାକିରିରେ ଯୋଗ ଦେବା ପରେ ସରକାର ତାଙ୍କୁ ଏବେ କେଉଁ ପଦବିରେ ଅବସ୍ଥାପିତ କରୁଛନ୍ତି ତାକୁ ନେଇ ବି ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।