ଗୃହରେ ଗଣ୍ଡଗୋଳ କଲେ ହେବ ଆକ୍ସନ : ବାଚସ୍ପତି

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ଗୃହରେ ଶୃଙ୍ଖଳା ଗଣ୍ଡି ବାହାରକୁ ଗଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ବଜେଟ୍ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ବିଶୃଙ୍ଖଳିତ ବିଧାୟକଙ୍କୁ ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ବାଚସ୍ପତି । ଯାହାକୁ ନେଇ ତେଜିଛି ରାଜନୀତି । ବାଚସ୍ପତିଙ୍କ ନାଲି ଆଖିକୁ ଡର ନାହିଁ ବୋଲି ବିଜେଡି ଓ କଂଗ୍ରେସ କହିଥିବାବେଳେ ବିଜେପି କହିଛି, ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଆସନ୍ତା ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ । ଆଉ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ବିଧାୟକମାନଙ୍କୁ ଏଭଳି ରୋକ୍ ଠୋକ୍ ବାଣୀ ଶୁଣାଇ ସତର୍କ କରିଛନ୍ତି ବାଚସ୍ପତି । ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଏବେ ବିରୋଧୀ ଭୂମିକାରେ ଅଛି । ନୂଆ ସରକାରକୁ ଟାର୍ଗେଟ କରିବା ଲାଗି କିଛି ବିରୋଧୀ ବିଧାୟକ ବାରମ୍ବାର ଗୃହରେ ବିଶୃଙ୍ଖଳିତ ଆଚରଣ କରୁଥିବା ଦେଖିବାକୁ ମିଳୁଥିବାରୁ ବାଚସ୍ପତି ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେତେବେଳେ ବିରୋଧୀ, ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ଯାଉଛନ୍ତି ତ ଆଉ କେତେବେଳେ ଗୃହ ମଧ୍ୟ ଭାଗରେ ଫାଇଲ୍ ଫିଙ୍ଗୁଛନ୍ତି। ଫଳରେ ଗୃହ ବାରମ୍ବାର ଅଚଳ ହେଉଛି। ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କ ସହଯୋଗ ଲୋଡିଥାନ୍ତି ।

 

ଅନ୍ୟପଟେ ବିଜେଡି ଓ କଂଗ୍ରେସରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, କିନ୍ତୁ ବିଜେପି ବିଶୃଙ୍ଖଳିତଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ରହିଛି ବୋଲି ଦର୍ଶାଇଛି l ବାଚସ୍ପତିଙ୍କ ଚେତାବନୀ ପରେ ଆଗାମୀ ବଜେଟ ଅଧିବେଶନରେ ବିରୋଧୀ ବିଧାୟକଙ୍କ ଆଚରଣ କିପରି ରହୁଛି ତାକୁ ଦେଖିବାକୁ ବାକି ରହିଲା l

LEAVE A REPLY

Please enter your comment!
Please enter your name here