ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ନୂଆଦିଲ୍ଲୀ ଆସନରୁ ହାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଖାଲି ସେତିକି ନୁହେଁ, ଦିନେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ମଧ୍ୟ ଏଥର ନିର୍ବାଚନ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ତରବିନ୍ଦର ସିଂହ ମାରଓ୍ୱାଙ୍କଠାରୁ ହାରିଯାଇଛନ୍ତି ଦିଲ୍ଲୀର ଏହି ପୂର୍ବ ଉପ-ମୁଖ୍ୟମନ୍ତ୍ରୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ଏବେ ବହୁମତଠାରୁ ବହୁତ ଆଗରେ ଅଛି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି ।ଆଜି ଭୋଟ୍ ଗଣତି ଆରମ୍ଭ ହେବା ପରଠାରୁ ହିଁ ଦିଲ୍ଲୀରେ ବିଜେପି ଆଗୁଆ ରହିଥିଲା । ଖାସ୍ କରି ମୁସଲିମ୍ ବହୁଳ ଅଞ୍ଚଳରୁ ଭୋଟ୍ ଗୋଟେଇବାରେ ସମର୍ଥ ହେଇଥିଲା ଭାରତୀୟ ଜନତା ପାର୍ଟି । ହେଲେ ଟ୍ରେଣ୍ଡରେ କିନ୍ତୁ ପଛରେ ପଡିଯାଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ ।
ସୂଚନାଯୋଗ୍ୟ ଯେ, ଗତ ୨୦୧୩ ମସିହା ପରଠାରୁ ଦିଲ୍ଲୀରେ ଚାଲିଛି ଆପ୍ ସରକାର । ପ୍ରଥମ କେଜ୍ରିଓ୍ୱାଲ ଏବଂ ଏବେ ଅତୀଶ ଏହାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଲଗାତାର ୨୦୧୩ରୁ ୨୦୨୫ ପର୍ୟ୍ୟନ୍ତ ଦିଲ୍ଲୀର ସତ୍ତା ଆମ୍ ଆଦମୀ ପାର୍ଟି ପାଖରେ ରହିଥିଲା । ହେଲେ ଏଥର କିନ୍ତୁ ଆପକୁ ସତ୍ତାରୁ ହଟେଇବା ସହ ଗାଦି ଦଖଲ କରିବାକୁ ଯାଉଛି ବିଜେପି । ଆଉ ଏହି ବିଜେପିର ଏହି ବିଜୟ ପଛରେ ମୋଦୀ-ଶାହାଙ୍କ ରଣନୀତି କାମ କରିଥିବା ଚର୍ଚ୍ଚା ହେଉଛି ।