ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆରମ୍ଭ ହେବ ଆଇସିସି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମି ମୁକାବିଲା । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଫାଇନାଲରେ ପ୍ରବେଶ ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଫାଇଟ । ଅପରାହ୍ନ ୨. ୩୦ ମିନିଟରେ ମ୍ୟାଚ ଆରମ୍ଭ ହେବ । ମଇଦାନକୁ ଓହ୍ଲାଇବାକୁ ରୋହିତ ସେନା ଓ ସ୍ମିଥ ବାହିନୀ ପୁରା ପ୍ରସ୍ତୁତ । ଚାମ୍ପିଅନ୍ସ ଟ୍ରଫିରେ ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଅପେକ୍ଷା କରିଛନ୍ତି କ୍ରୀଡାପ୍ରେମୀ । ନଭେମ୍ବର ୧୪, ୨୦୨୩ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ଅଷ୍ଟ୍ରେଲିଆ ଦଳ ଭାରତକୁ ପରାସ୍ତ କରି ଟ୍ରଫି ଛଡାଇ ନେଇଥିଲା । ଟି ୨୦ ବିଶ୍ବକପ ଭାରତ ଜିତିଛି ସତ କିନ୍ତୁ ଦିୱନିକିଆ ବିଶ୍ବକପ ହାରିବାର କଷ୍ଟ ମନରୁ ଲିଭିନି । ସେହି ମ୍ୟାଚର ପ୍ରତିଶୋଧ ନେବାକୁ ଆଜି ପ୍ରାଣପଣେ ଚେଷ୍ଟା କରିବ ମେନ ଇନ ବ୍ଲୁ । ଭାରତ ଏବଂ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ୨୦୨୩ ODI ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଯେଉଁଠାରେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୫୧ ଟି ଦିନିକିଆ ମ୍ୟାଚ୍ ହୋଇଛି। ଏଥିର ଭାରତ ୫୭ଟିରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୮୪ଟି ମ୍ୟାଚରେ ବାଜି ମାରିଛି । ICC ODI ଟୁର୍ଣ୍ଣାମେଣ୍ଟ (ବିଶ୍ୱକପ୍, ଚାମ୍ପିଅନ୍ସ ଟ୍ରଫି) ରେ ମୋଟ ୧୮ଟି ମ୍ୟାଚ୍ ଖେଳାଯାଇଛି। ଭାରତ ୭ଟି ମ୍ୟାଚ୍ ଜିତିଥିବା ବେଳେଅଷ୍ଟ୍ରେଲିଆ ୧୦ଟି ମ୍ୟାଚ୍ ଜିତିଛି। ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଦୁଇ ଦଳ ୪ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୨ଟି ମ୍ୟାଚ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍ ଜିତିଛି। ଅନ୍ୟ ଏକ ମ୍ୟାଚର ଫଳାଫଳ ଆସିନାହିଁ ।