ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭାରତ-ପାକିସ୍ତାନ ଅସ୍ତ୍ରବିରତି ଲାଗୁ ହୋଇଥିଲେ ମଧ୍ୟ ଆଜି ରାତିରେ କେତେକ ସମ୍ବେଦନଶୀଳ ସ୍ଥାନରେ ଡ୍ରୋନ୍ ଠାବ ହୋଇଥିବା ଜଣାପଡ଼ିଛି। ରାଜସ୍ଥାନର ବାଡ଼ମେର୍ରେ ଡ୍ରୋନ୍ ଠାବ ହେବା ପରେ ବାଡ଼ମେର୍ ପ୍ରଶାସନ ଲୋକମାନଙ୍କୁ ଡ୍ରୋନ୍ ଆକ୍ରମଣ ନେଇ ସତର୍କ କରିଛନ୍ତି ଏବଂ ଲୋକଙ୍କୁ ଘରେ ରହିବା ପାଇଁ କହିଛନ୍ତି। ଜିଲ୍ଲାପାଳ ଏ ନେଇ ଏକ୍ସରେ ଏକ ପୋଷ୍ଟ କରିଥିବାବେଳେ ସେଠାରେ ସ୍ଥିତି ଯାଞ୍ଚ କରାଯାଉଛି। ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକ୍ ଗତିବିଧି ଉପରେ ସତର୍କ ନଜର ରଖାଯାଇଛି ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ସ୍ଥିତିରେ କଡ଼ା ଜବାବ ଦେବାକୁ ସେନା ପ୍ରସ୍ତୁତ ରହିଛି। ପାକିସ୍ତାନ ପଟୁ ଗୁଳିର ଜବାବ ଗୋଳାରେ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେନାମୁଖ୍ୟଙ୍କ ସହ ବୈଠକରେ କହିଛନ୍ତି ଏବଂ ସୀମା ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି।ରାଜସ୍ଥାନର ଜୈସଲମେରରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ବ୍ଲାକ୍ ଆଉଟ୍ କରାଯାଇଛି। ରବିବାର ସନ୍ଧ୍ୟା ୭.୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଜୈସଲମେର ଜିଲ୍ଲା ପ୍ରଶାସନ ସତର୍କତାମୂଳକ ବ୍ଲାକ୍ଆଉଟ୍ ଜାରି କରିଛନ୍ତି। ଲୋକମାନଙ୍କ ଘରେ ଏବଂ ଘର ବାହାରେ ଲାଇଟ୍ ବନ୍ଦ ରଖିବା ପାଇଁ କୁହାଯାଇଛି। ପଞ୍ଜାବର ସୀମାନ୍ତ ଜିଲ୍ଲା ଫିରୋଜପୁରରେ ମଧ୍ୟ ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ କରାଯାଇଛି। ଲୋକମାନଙ୍କୁ ଘରେ ଲାଇଟ୍ ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଛି। ପାକିସ୍ତାନ ସେନା ଦ୍ବାରା ସମ୍ଭାବ୍ୟ ଗୋଳାମାଡ଼ ଆଶଙ୍କାରେ ଲୋକମାନେ ସତର୍କ ରହିବା ସହ ସମ୍ଭାବ୍ୟ ପରିସ୍ଥିତିରେ ସହଯୋଗ କରିବାକୁ ସ୍ଥାନୀୟ ପ୍ରଶାସନ ଅନୁରୋଧ କରିଛି। ପଞ୍ଜାବର ଭଟିଣ୍ଡା ସହରରେ ମଧ୍ୟ ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ କରାଯାଇଛି। ଅନ୍ୟପକ୍ଷେ ଜମ୍ମୁରେ କିଛି ଦୋକାନ ଖୋଲିବା ଆରମ୍ଭ କରିଥିଲେ ସୁଦ୍ଧା ଅନ୍ୟ କିଛି ସ୍ଥାନରେ ଏବେ ବି ଦୋକାନ ବଜାର ବନ୍ଦ ରହିଛି।