ବାରବାଟୀରେ ହେବ ଭାରତ ବନାମ ଇଂଲଣ୍ଡ ଏକଦିବସୀୟ ମ୍ୟାଚ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଫେବ୍ରୁଆରୀ ୯ ରେ ଦୁଲୁକିବ ବାରବାଟୀ । ଭାରତ ବନାମ ଇଂଲଣ୍ଡ ମ୍ୟାଚ୍ ଏକଦିବସୀୟ ବାରବାଟୀ ଷ୍ଟାଡିଅମରେ ଖେଳାଯିବ । ଏଥିପାଇଁ ୨ ଫେବ୍ରୁଆରୀ ଜୋମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪ ହଜାର ଅନଲାଇନ ଟିକେଟ । କଟକକୁ ଫେରିଲା କ୍ରିକେଟ କ୍ରେଜ୍ । ଦୀର୍ଘ ୩ ବର୍ଷ ପରେ ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଫ୍ରେବ୍ରୁଆରୀ ୯ ରେ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ସିରିଜର ଦ୍ୱିତୀୟ ମୁକାବିଲା। ଏନେଇ ଆଜି ରାଜ୍ୟ କ୍ରୀଡାମନ୍ତ୍ରୀ ଓ ଓଡି଼ଶା କ୍ରିକେଟ ସଂଘ ଆନୁକୂଲ୍ୟରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉଭୟ ଅନଲାଇନ ଓ ଅଫଲାଇନ ଟିକେଟ ବିକ୍ରି ନେଇ ତାରିଖ ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ ।

 

୨ ଫେବ୍ରୁଆରୀରେ ଜୋମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪୦୦୦ ଅନଲାଇନ ଟିକେଟ୍ । ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ୧୯ରୁ ୨୦ହଜାର ଅଫଲାଇନ ଟିକେଟ ଉପଲବ୍ଧ ହେବ ଏବଂ ଅବଶିଷ୍ଟ ଅନୁବନ୍ଧିତ ୟୁନିଟକୁ ଟିକେଟ ପ୍ରଦାନ କରିବ ଓସିଏ । ଅଫଲାଇନ ଟିକେଟ୍ ବିକ୍ରି ସମୟରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର ହେବ । ୪ଟି ବ୍ୟାରିକେଡ୍ ମଧ୍ୟରେ ୬ଟି କାଉଣ୍ଟରରୁ ଟିକେଟ କିଣିବେ ଫ୍ୟାନ୍ସ । ୭ ତାରିଖରେ ଉଭୟ ଟିମ ଭୁବନେଶ୍ୱରରେ ପହଞ୍ଚିବା ପରେ ମେ ଫେୟାର ହୋଟେଲରେ ରାତ୍ରିଯାପନ କରିବେ । ଏହାପରେ ୮ ତାରିଖରେ ଉଭୟ ଦଳ ଦୁଇଟି ପର୍ଯ୍ୟାୟରେ ବାରବାଟୀ ଷ୍ଟାଡିଅମରେ ଅଭ୍ୟାସ କରିବେ । ଉଭୟ ଟିମ ଭୁବନେଶ୍ୱରରୁ ଷ୍ଟାଡିଅମ ଅଭିମୁଖେ କଡା ସୁରକ୍ଷା ବଳୟ ମଧ୍ୟରେ ପହଞ୍ଚିବେ” ବୋଲି କହିଛନ୍ତି ଓସିଏ ସମ୍ପାଦକ ।

ଏହାଛଡା ପ୍ରଥମ ଥର ପାଇଁ ଏଥର ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ଗୌରବ ଆଣିଥିବା ବ୍ୟକ୍ତିଙ୍କୁ ନେଇ ଲିଜେଣ୍ଡାରୀ ବକ୍ସର ଆୟୋଜନ କରାଯାଇଛି । ଉଭୟ ଉପର, ତଳ ବାଲିଯାତ୍ରା ପଡିଆ ଓ ସତ୍ୟବ୍ରତ ଷ୍ଟାଡିଅମରେ ଖୋଲିବ ଫ୍ୟାନ କ୍ଲବ । ଯେଉଁଠି ଖେଳର ମଜା ସହ କଟକ ଦହିବରା ଆଳୁଦମରୁ ଆରମ୍ଭ କରି ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇପାରିବେ ଫ୍ୟାନ୍ସ । “ମ୍ୟାଚ ଦେଖିବା ପାଇଁ ଷ୍ଟାଡିଅମ ଆସୁଥିବା ଦର୍ଶକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସମସ୍ତ ଗ୍ୟାଲେରୀରେ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ଏହାବ୍ୟତୀତ ଅଫଲାଇନ ଟିକେଟ କିଣିବାବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେନେଇ ସବୁ ବ୍ୟବସ୍ଥା କରାଯିବ” ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

 

ଅନ୍ୟପଟେ ପୋଲିସ କମିଶନର ଏସ ଦେବଦତ୍ତ ସିଂ କହିଛନ୍ତି, “ମୋଟ ୪୪ ହଜାର ଦର୍ଶକ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିଅମକୁ ପ୍ରବେଶ କରିବେ । ସେହି ସମୟରେ ସମସ୍ତ ଗ୍ୟାଲେରୀ, ଅତିଥିଙ୍କ ବସିବା ସ୍ଥାନ ଓ ଦର୍ଶକ କିପରି ଶୃଙ୍ଖଳିତ ଭାବେ ଖେଳ ଦେଖିବା ଉପଭୋଗ କରିବେ ସେନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଦୀର୍ଘ ବର୍ଷ ପରେ ବାରବାଟୀକୁ ମ୍ୟାଚ୍ ଫେରିବା ନେଇ ଲକ୍ଷାଧିକ ଫ୍ୟାନ୍ସ ଏକତ୍ର ହେବା ସମୟରେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଫୋର୍ସ ମୁତୟନ ହେବ । ଡିସିପିଙ୍କୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।” ନିକଟରୁ ଖେଳ ଏବଂ ଖେଳାଳିଙ୍କୁ ଦେଖିବା ପାଇଁ କ୍ରୀଡ଼ାପ୍ରେମୀ ମାନେ ବେଶ ଆଗ୍ରହୀ ଅଛନ୍ତି l

LEAVE A REPLY

Please enter your comment!
Please enter your name here