ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦୀର୍ଘ ୧୨ବର୍ଷ ପରେ ଇତିହାସ ରଚିଲା ଭାରତ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଲା ରୋହିତ ବାହିନୀ । ତୃତୀୟ ଚାମ୍ପିଅନ୍ସ ଟ୍ରଫି ହାତେଇଲା ଭାରତ । ରୋହିତ୍ ଶର୍ମା ଏବଂ ଶ୍ରେୟାସ ଆୟରଙ୍କ ଧୂଆଁଧାର ବ୍ୟାଟିଂରେ ଧରାସାୟୀ ହେଲେ ନ୍ୟୁଜିଲାଣ୍ଡ ବୋଲର । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଭାରତର ବୃହତ ବିଜୟ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍ ଜିତି ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୧ ରନ୍ କରିଥିବା ବେଳେ ଏହାର କଡ଼ା ଜବାବ ଦେଇଛି ଟିମ ଇଣ୍ଡିଆ । ଭାରତ ୪୯ ଓଭରରେ ୬ ୱିକେଟ ହରାଇ ୨୫୪ ରନ କରି ନ୍ୟୁଜିଲାଣ୍ଡ ଠାରୁ ବଦଲା ନେଇଛି । ୨୫୧ ରନକୁ ପିଛା କରି ଭାରତ ପକ୍ଷରୁ ହିଟମ୍ୟାନ ରୋହିତ୍ ଶର୍ମା ୮୩ ବଲରେ ୭୬ ରନ୍, ଶୁଭମନ ଗିଲ୍ ୫୦ ବଲରେ ୩୧, କୋହଲି ୦୧, ଶ୍ରେୟାସ ଆୟର ୪୮, ଅକ୍ଷର ପଟେଲ ୨୯, ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିବା ବେଳେ କେ.ଏଲ୍ ରାହୁଲ ୩୪ ଏବଂ ରବିନ୍ଦ୍ର ଜାଡେଜା ୯ ରନ କରି ଅପରାଜିତ ରହିଥିଲେ । ୧୨ବର୍ଷ ପରେ ପୁଣି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଅଧିକାରୀ ହୋଇଛି ଭାରତ ।
ଏହି ବିଜୟ ସହିତ ୨୫ ବର୍ଷ ପରେ ୨୦୨୫ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ୨୦୦୦ର ପରାଜୟର ପ୍ରତିଶୋଧ ନେଇଛି।ତେବେ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସମେତ ଦେଶର ସମସ୍ତ ମନ୍ତ୍ରୀଗଣ ଏବଂ ବିଶେଷ କରି କ୍ରିକେଟ ପ୍ରେମୀ ଙ୍କ ସହ ଜନସାଧାରଣ l ଦେଶର କୋଣ ଅନୁକୋଣରେ ବିଜୟୀ ର ଉଲ୍ଲାସ ପାଳନ କରାଯାଉଛି l