ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସର୍ବଦା ଓଡିଶାର ଜମି, ଜଙ୍ଗଲ ଓ ଜଳ ଉପରେ ଆନ୍ଧ୍ରର ଲଲୁପ ଦୃଷ୍ଟୀ ରହି ଆସିଛି । ଆଉ ଗଞ୍ଜାମ ,ଗଜପତି ସୀମାନ୍ତ ରେ ଥିବା ଗଙ୍ଗାବାଡ ପଞ୍ଚାୟତ ସୀମା ବିବାଦକୁ ନେଇ ସବୁ ବେଳେ ଚର୍ଚ୍ଚାରେ , ହେଲେ ଏବେ ଧିରେ ଧିରେ କିଛି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ଆନ୍ଧ୍ର , ଦେଖିବା ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ
ଏ ହେଉଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ବହୁଚର୍ଚ୍ଚିତ ବିଚ୍ଛିନ୍ନାଞ୍ଚଳରେ ଥିବା ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି ଗ୍ରାମ | ଆନ୍ଧ୍ର ଓ ଓଡିଶା ମଧ୍ୟରେ ବିବାଦ ଥିବା ସତ୍ତ୍ବେ ପୁଣି ଆନ୍ଧ୍ର ନିଜ ଦାଦାଗିରି ଦେଖାଇଛି । ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି ଗ୍ରାମରେ ବିଦ୍ୟୁତ, ପ୍ରଧାନମନ୍ତ୍ରୀ ଆବାସ ସହ ଭୋଟର କାଡ, ରାସନ କାର୍ଡ ଓ ଆଧାର କାର୍ଡ ପ୍ରଦାନ କରିଛି ଆନ୍ଧ୍ର ପ୍ରଶାସନ । ଆନ୍ଧ୍ର ପ୍ରଦେଶ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ କରି ଏକ ପ୍ରକାର ଗୁଡିଖୁଡି ଗ୍ରାମକୁ ସଫଳତାର ସହ ଅନୁପ୍ରବେଶ କରିସାରିଛି । ଏହି ଗ୍ରାମକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ବିବାଦ ବହୁ ଦିନ ଧରି ଲାଗି ରହିଥିବା ବେଳେ ପୁଣି ଥରେ କଟାଘାରେ ଚୂନ ଦେଲା ଭଳି କାର୍ଯ୍ୟ କରିଛି ଆନ୍ଧ୍ର ।
ଗ୍ରାମରେ ଥିବା ଓଡିଶା ସରକାରଙ୍କ ବିଜ୍ଞାପନ ଫଳକକୁ ମଧ୍ୟ ଭାଙ୍ଗିଦେଇଛି ଆନ୍ଧ୍ର । ପ୍ରାୟତଃ ସବୁ ଯୋଜନାରେ ଆନ୍ଧ୍ର ଓଡିଶା ଠାରୁ ଅଧିକା ଅର୍ଥ ହିତାଧିକାରୀଙ୍କୁ ପ୍ରଦାନ କରୁଥିବାରୁ ବହୁ କଷ୍ଟରେ ମୁଁହ ଖୋଲୁଛନ୍ତି ଗ୍ରାମବାସୀ । ଗୁଡିଖୁଡି ଗ୍ରାମର ବାସିନ୍ଦା କହିଛନ୍ତି ଗୁଡିଖୁଡି ଗ୍ରାମ ଉଭୟ ଆନ୍ଧ୍ରରେ କି ଓଡିଶାରେ ରହିଛି ତାହା ଜଣାପଡୁନାହିଁ । ଓଡିଶାରେ ଗୁଡିଖୁଡି କୁହାଯାଉଥିବା ବେଳେ ଆନ୍ଧ୍ରରେ ଏହି ଗ୍ରାମକୁ ଗୁଡିଖୁଳି ମଧ୍ୟ କହୁଛନ୍ତି । ସେହିପରି ଏହି ଗ୍ରାମରେ କେତେକଙ୍କ ନିକଟରେ ଉଭୟ ଓଡିଶା-ଆନ୍ଧ୍ରର ଆଧାରକାର୍ଡ, ରାସନକାର୍ଡ ରହିଥିବାବେଳେ କିଛି ଲୋକ ଉଭୟ ରାଜ୍ୟରୁ କୌଣସି ରାସନ ପାଉନଥିବାର କହିଛନ୍ତି । ସେହିପରି ଆନ୍ଧ୍ର ସରକାର ଏହି ଗ୍ରାମରେ ବିଦ୍ୟୁତ ସେବା, ପ୍ରଧାନମନ୍ତ୍ରୀ ଆବାସ, ଭତ୍ତା ଆଦି ପ୍ରଦାନ କରିଛନ୍ତି । ଏପରି ଗ୍ରାମର ପିଲା ମାନେ ନିକଟରେ ଥିବା ଆନ୍ଧ୍ରର କୋଷ୍ଟା ଗ୍ରାମରେ ଥିବା ଓଡିଆ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । କିଛି ଲୋକେ ଏହି ଗୁଡିଖୋଳା ଗ୍ରାମ ଉଭୟ ଓଡିଶା ଓ ଆନ୍ଧ୍ରର ବୋଲି କହୁଛନ୍ତି । ଏଠାରେ ଆନ୍ଧ୍ର ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ନିୟମିତ ଆନ୍ଧ୍ରର ଡାକ୍ତର ଆସୁଛନ୍ତି । ସେହିପରି ଅନେକ ବୃଦ୍ଧା ମା ମାନେ କହିଛନ୍ତି ଯେ, ଆନ୍ଧ୍ର ସରକାର ଭତ୍ତା ବାବଦରେ ୨୫୦୦/- ଟଙ୍କା ପ୍ରଦାନ କରୁଛନ୍ତି । ତେବେ ଓଡିଶାର ପ୍ରଶାସନିକ ଅବହେଳା ଯୋଗୁଁ ଅବା ତୃଣମୁଳର ପ୍ରଶାସନିକ କର୍ମଚାରୀ ବିଚ୍ଛିନ୍ନା ଅଞ୍ଚଳ ଗୁଡିକରେ ସଠିକ କାର୍ଯ୍ୟ କରୁନଥିବାରୁ ଆନ୍ଧ୍ର ସହଜରେ ଗୁଡିଖୁଡି ଗ୍ରାମକୁ ନିଜ ଅକ୍ତିଆରରେ ନେଇପାରିଥିବା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।
ବାରମ୍ବାର ଆନ୍ଧ୍ର ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଗୁଡିଖୁଡି ଗ୍ରାମକୁ ଗସ୍ତ କରି ଓଡିଶାର ତାଗିଦ ସତ୍ତ୍ୱେ ନିଜ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସେପଟେ ଗଙ୍ଗାବାଡ ପଞ୍ଚାୟତର ନୂଆବାରଘର ଗ୍ରାମର ମଧ୍ୟ ସମାନ ସ୍ଥିତି , ସେଠି ମଧ୍ୟ ଆନ୍ଧ୍ର ନିଜ ଲୋଲୁପ ଦୃଷ୍ଟି ନିକ୍ଷେପ କରିଛି । ୨୦୧୮ ମସିହାରେ ପୁରୁଣା ବାରଘର ଗ୍ରାମବାସୀଙ୍କୁ ଥଇଥାନ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଘର, ପାଣି, ବିଜୁଳି, ରାସ୍ତା ଭଳି ସୁବିଧା ଯୋଗାଇଥିଲେ । କିନ୍ତୁ ସବୁ କିଛି ଏବେବି ଅଧାପନ୍ତରିଆ ଅବସ୍ଥାରେ ।
୬ଟି ପାନୀୟ ଜଳ ପ୍ରକଳ୍ପରୁ ଲୋକେ ପାଣି ପାଉଛନ୍ତି, ନା ବିଜୁଳି କଟିଲେ ତିନି ଚାରି ଦିନ ମଧ୍ୟରେ ସେବା ପାଇପାରୁଛନ୍ତି । ଏପରିକି ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ବଜାର ଘାଟ, ବ୍ୟବସାୟ, ଗମନାଗମନ ଆଦି ପାଇ ୬କିମି ଦୂରରେଥିବା ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ଗ୍ରାମ ଉପରେ ନିର୍ଭର କରି ଆସୁଛନ୍ତି । ଏପଟେ ଜିଲ୍ଲା ପ୍ରଶାସନର ଚରମ ଅବହେଳା, ସେପଟେ ଆନ୍ଧ୍ର ସରକାରଙ୍କ ପ୍ରଲୋଭନ ନୂଆବାରଘର ଗ୍ରାମର ଶତାଧିକ ପରିବାରକୁ ଆକୃଷ୍ଟ କରିଛି । ଯେଉଁଥି ପାଇଁ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ସହ ମୌଳିକ ସମସ୍ୟାର ସମାଧାନ ନହେଲେ ଆନ୍ଧ୍ରରେ ସମସ୍ତେ ବିଲୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ସମସ୍ୟକୁ ନେଇ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ନିଜ ପ୍ରତିକ୍ରିୟାରେ ରଖି କହିଛନ୍ତି । ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ଏବଂ ଯଦି ଆନ୍ଧ୍ର ପ୍ରଦେଶ ପ୍ରଲୋଭନ କି ଅନୁପ୍ରବେଶ କରିଛି ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ସହ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।
ଆଉ କେତେ ଅଞ୍ଚଳକୁ ଆନ୍ଧ୍ର ନିଜ ଅକ୍ତିଆରକୁ ନେବା ପରେ ପ୍ରଶାସନର ନିଦ ଭାଙ୍ଗିବ ଆଉ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବ ତାକୁ ହିଁ ଅପେକ୍ଷା l