କଟକ ( ବିପ୍ଲବୀ ପରିକ୍ରମା ):-ଦୁଲୁକିବ କଟକ । ଉଠିବ ପଡିବ ବାଲିଯାତ୍ରା ପଡ଼ିଆ । ଚଳିତ ମାସ ୧୪ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ କଟକ ବୈଶାଖୀ ବାଣିଜ୍ୟ ମେଳା । ଏହା ଦଶ ଦିନ ବ୍ୟାପି ଉପର ପଡିଆ ରେ ଅନୁଷ୍ଠିତ ହେବ । ୨୦ ବର୍ଷରେ ପହଂଚିଥିବା ଏହି ବାଣିଜ୍ୟ ମେଳାରେ ବିଗତ ବର୍ଷ ଭଳି ଅନ୍ୟ ଦେଶରୁ ବହୁ ପ୍ରତିଷ୍ଠିତ ଉଦ୍ୟୋଗୀ ଅଂଶଗ୍ରହଣ କରିବେ । ଏହା ସହିତ ୨୨ଟି ରାଜ୍ୟର କ୍ଷୁଦ୍ର, ମଧ୍ଯମ ଓ ବୃହତ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ପ୍ରତିଷ୍ଠିତ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବେ । ଚଳିତବର୍ଷ ବାଣିଜ୍ୟ ମେଳାରେ ୫୨୦ ଟି ଷ୍ଟଲ ଖୋଲିବ । ଆଫଗାନିସ୍ଥାନ, ଥାଇଲାଣ୍ଡ, ବାଂଲାଦେଶ, ମାଲେସିଆ, ଦୁବାଇ, ଇରାନ ଓ ତୁର୍କୀର ଉଦ୍ୟୋଗୀମାନଙ୍କ ବିଭିନ୍ନ ସୌଖୀନ ଓ ଘରକରଣା ସାମଗ୍ରୀ ବୈଶାଖୀ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ।
ସେହିଭଳି ଦିଲ୍ଲୀ, , ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମ୍ମୁକାଶ୍ମୀର ଇତ୍ୟାଦି ରାଜ୍ୟର ବ୍ୟବସାୟୀମାନେ ସେମାନଙ୍କ କୁଶଳୀ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଏଠାରେ ବିକ୍ରୟ କରିବେ । ଏହା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ବ୍ୟବସାୟୀମାନେ ଅଂଶଗ୍ରହଣ କରିବେ । ଏନେଇ ଆଜି ଆୟୋଜକ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ । ମେଳାରେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ପୋଷାକ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେବ । ପିଲାମାନଙ୍କ ମନୋରଂଜନ ପାଇଁ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି । କଟକ ବୈଶାଖୀ ବାଣିଜ୍ୟ ମେଳା ପରିସରରେ ଥିବା ମଂଚରେ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ ।
କଟକ ଜିଲ୍ଲା ପ୍ରଶାସନ, କମିଶନରେଟ ପୋଲିସ, ଅଗ୍ନିଶମ ବାହିନୀ, କଟକ ମହାନଗର ନିଗମ, ୱାଟକୋ ସହଯୋଗରେ ଏହି କଟକ ବୈଶାଖୀ ବାଣିଜ୍ୟମେଳାର ଆୟୋଜନ କରାଯାଉଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ମେଳା ବୁଲିବାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଫୁଡ଼କୋର୍ଟର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ମୁଢ଼ି ମାଂସ, ଛେନାଝିଲି, ରସାବଳୀ ଠାରୁ ନେଇ ରାଜସ୍ଥାନୀ ଖାଦ୍ୟ ଓ ସମସ୍ତ ପ୍ରକାର ଫାଷ୍ଟଫୁଡ ଉପଲବ୍ଧ ହେବ ବୋଲି ସ୍ପଷ୍ଟ କରିଛି ଆୟୋଜକ କମିଟି ।