ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମାର୍ଚ୍ଚ ୨୨ରୁ ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଲଢୁଆ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ଏଥିସହ ଚଳିତ ଆଇପିଏଲରେ ପ୍ରଥମ ଥର ଏକ ଦଳ ପଶ୍ଚାତ୍ଧାବନରେ ୨୦୦ ରନ୍ କରି ଜିତିଛି। ମ୍ୟାଚ ଆରମ୍ଭରେ ଗୁଜୁରାଟ ବ୍ୟାଟିଂ କରିଥିବା ବେଳେ ୪ ୱିକେଟରେ ୧୯୯ ରନ୍ କରିଥିଲା। ତେବେ ଏହାର ପ୍ରତ୍ୟୁତ୍ତରରେ ପଞ୍ଜାବ ୭ ୱିକେଟ ହରାଇ ୨୦୦ ରନ ବିଜୟ ହାସଲ କରିଥିଲା।
ଟସ୍ ଜିତି ପଞ୍ଜାବ ପ୍ରଥମେ ବୋଲିଂ ନେଇଥିଲା। ଗୁଜରାଟ ପକ୍ଷରୁ ଶୁବମନ ଗିଲ୍ ୮୯ରନର ଅପରାଜିତ ଇନିଂସ ଖେଳିଥିବା ବେଳେ କେନ୍ ଓ୍ବିଲିୟମସନ୍ ୨୬ (୨୨), ସାଇ ସୁଦର୍ଶନ ୩୩ (୧୯) ସ୍କୋର କରିଥିଲେ। ଶେଷ ଆଡକୁ ରାହୁଲ ଟଓ୍ବୋଟିଆ ବିସ୍ଫୋରକ ବ୍ୟାଟିଂ କରି ୮ ବଲ୍ ରେ ୩ଟି ଚୌକା ଓ ୧ ଛକା ସହ ୨୩ ରନ୍ କରିଥିଲେ। ଶେଷ ଯାଏ ଅପରାଜିତ ରହିଥିବା ଗିଲ୍ ୪୮ ବଲ୍ ରୁ ୮୯ ରନ୍ କରିଥିଲେ। ତେବେ ଏହି ଇନିଂସରେ ୬ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ସମୁଦାୟ ୪ ୱିକେଟ ପତନ ହୋଇଥିବା ବେଳେ ରାବାଡା ୨ଟି, ହରପ୍ରୀତ ବ୍ରାର ଓ ହର୍ଷଲ ପଟେଲ ୧ଟି ଲେଖାଏ ୱିକେଟ ନେଇଥିଲେ।
ଅପରପକ୍ଷରେ, ୨୦୦ ରନ୍ ଲକ୍ଷ୍ୟରେ ପଞ୍ଜାବ ୭୦ ରନ୍ ବେଳକୁ ଶୀର୍ଷ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିବା ବେଳେ ଶଶାଙ୍କ ସିଂଙ୍କ ୬୧ ରନ୍ କରିବା ଦଳକୁ ବିଜୟୀ କରିବାରେ ସାହାଯ୍ୟ କରିଥିଲା। ଶଶାଙ୍କ ୨୯ ବଲରୁ ୬ ଚୌକା ଓ ୪ଟି ଛକା ମାରିଥିଲେ। ଇମ୍ପାକ୍ଟ ସବଷ୍ଟିଚ୍ୟୁଟ୍ ରହିଥିବା ଆଶୁତୋଶ ଶର୍ମା ୩୧ (୧୭) ରନ୍ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭସିମରନ୍ ସିଂ ୩୫ ଏବଂ ଜନି ବେୟାରଷ୍ଟୋ ୨୨ ରନ୍ ସ୍କୋର କରିଥିବା ବେଳେ ଗୁଜରାଟ ପକ୍ଷରୁ ନୁର ଅହମଦ ୨ଟି, ଦର୍ଶନ ନାଲକଣ୍ଡେ, ରଶିଦ୍ ଖାନ, ମୋହିତ ଶର୍ମା, ଉମେଶ ଯାଦବ, ଓ ଅଜମତୁଲ୍ଲା ଓମାରଜାଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।