ବିପ୍ଲବୀ ପରିକ୍ରମା ବ୍ୟୁରୋ :- ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଛି । ତାଙ୍କ ସହ ହେଲିକପ୍ଟରରେ ଯାତ୍ରା କରୁଥିବା ବୈଦେଶିକ ମନ୍ତ୍ରୀ ହୋସେନ ଅମିର୍ ଅବଦୋଲ୍ଲାହାନଙ୍କ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ପ୍ରାଣ ହରାଇଛନ୍ତି । ଏନେଇ ଆଜି(ସୋମବାର) ଇରାନ ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲିଠାରୁ ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାରକାରୀ ଟିମ୍ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିଥିଲେ । ତେବେ କ୍ରାସ ପରେ ହେଲେକପ୍ଟରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ଦେଖାଯାଇଛି । ଯେଉଁ କାରଣରୁ ଏଥିରେ କାହାକୁ ଜୀବନ୍ତ ଉଦ୍ଧାର କରାଯାଇପାରିନି ।ଡ୍ରୋନ ଜରିଆରେ ହେଲିକପ୍ଟରଟିକୁ ଠାବ କରାଯାଇଛି ।
ଗତକାଲି ଆଜରବାଇଜାନ ସୀମାନ୍ତ ଜୋଲଫା ସହର ନିକଟରେ ପାହାଡି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଖରାପ ପାଗ ଭିତରେ ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାରକାରୀ ଟିମକୁ ରାଷ୍ଟ୍ରପତିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ସନ୍ଧାନ ମିଳିଛି । ଡ୍ରୋନ ଫୁଟେଜ ଅନୁସାରେ, ଉକ୍ତ ହେଲିକପ୍ଟରଟି କ୍ରାସ ପରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହି ହେଲିକପ୍ଟରରେ ରାଷ୍ଟ୍ରପତି ରଇସିଙ୍କ ସମେତ ମୋଟ ୯ ଜଣ ଯାତ୍ରୀ ଥିଲେ । ପୂର୍ବ ଆଜରବାଇଜାନ ଗଭର୍ଣ୍ଣର, ଇମାମ ମହମ୍ମଦ ଅଲ୍ଲୀ ହସେମ ମୃତକଙ୍କ ମଧ୍ୟରେ ରହିଥିବା ଜଣାପଡିଛି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜରବାଇଜାନ ଓ ଇରାନ ସୀମାନ୍ତ ଆରସ ନଦୀରେ ଏକ ସେତୁ ଉଦଘାଟନ କାର୍ଯ୍ୟକ୍ରମ ଥିଲା । ଏଥିରେ ଆଜରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭ ଓ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଯୋଗ ଦେଇଥିଲେ । ସେଠାରୁ ରଇସି ଫେରିବା ସମୟରେ ରାଜଧାନୀ ତେହରାନରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଜୋଲଫା ସହ ସୀମାନ୍ତରେ ଏହି ଦୁର୍ଘଟଣା ଘଟିଥିଲା । ଘନ କୁହୁଡି ଯୋଗୁଁ ହେଲିକପ୍ଟରଟି ପାହାଡରେ ମାଡ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସେନାବାହିନୀ, ଇସଲାମିକ ରିଭୋଲ୍ୟୁସନ ଗାର୍ଡ କର୍ପସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ବର୍ଷା ଓ କୁହୁଡି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସେପଟେ ସାରା ଦେଶରେ ରାଷ୍ଟ୍ରପତି ଏବଂ ହେଲିକପ୍ଟରରେ ଥିବା ଅନ୍ୟମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା ହୋଇଥିଲା ।