୨,୧୫,୧୯୨ ହେକ୍ଟର ଜମିକୁ ମିଳିବ ଜଳସେଚନ ସୁବିଧା 

0

ଭୁବନେଶ୍ୱର( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଟି ବୃହତ ଜଳସେଚନ ପ୍ରକଳ୍ପ । ପ୍ରକଳ୍ପ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଜଳ ସମ୍ପଦ ବିଭାଗର ବିଭିନ୍ନ ଡ୍ୟାମ ଓ ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି । ୫ଟି ପ୍ରକଳ୍ପ ସାମୂହିକ ଭାବରେ ୨,୧୫,୧୯୨ ହେକ୍ଟର ଚାଷ ଜମିକୁ ଜଳସେଚନ କରିବ । ଦୀର୍ଘ ଦିନ ଧରି ପଡ଼ି ରହିଥିବା ଏହି ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ ହେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଜିଲ୍ଲାରେ ଇବ୍‌ ଜଳସେଚନ ପ୍ରକଳ୍ପ, ବରଗଡ଼ ଜିଲ୍ଲାରେ ଅଙ୍ଗ୍‌ ଜଳସେଚନ ପ୍ରକଳ୍ପ, କେନ୍ଦୁଝର ଜିଲ୍ଲାରେ ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ, ଝାରପଡା ଜଳସେଚନ ପ୍ରକଳ୍ପ ଓ କାନୁପୁର ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡିକ କିପରି ତ୍ୱରାନ୍ୱିତ ହେବ ସେ ବିଷୟରେ ଆଲୋଚନା କରିଛନ୍ତି ।

 

ଇବ୍‌ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୧ ଲକ୍ଷ ୦୬ ହଜାର ୨ ଶହ ୭୯ ହେକ୍ଟର ଜମି ଜଳସେଚିତ ହୋଇପାରିବ । ସେହିପରି ଅଙ୍ଗ୍‌ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦ ହଜାର ହେକ୍ଟର, ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ ଦ୍ୱାରା ୩୧ ହଜାର ୮ ଶହ ୩୫ ହେକ୍ଟର, କେନ୍ଦୁଝରର ଝାରପଡା ଜଳସେଚନ ପ୍ରକଳ୍ପ ଦ୍ୱାରା ୧୭ ହଜାର ୫ ଶହ ହେକ୍ଟର ଓ କାନୁପୁର ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୨୯ ହଜାର ୫ ଶହ ୭୮ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆ ଯାଇପାରିବ । ଏହି ୫ଟି ପ୍ରକଳ୍ପ ଦ୍ୱାରା ସମୁଦାୟ ୨ ଲକ୍ଷ ୧୫ ହଜାର ୧ ଶହ ୯୨ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିବ । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here