ଉପାନ୍ତରୁ ଉପକୂଳ ସବୁଠି ଛେଚୁଛି ବର୍ଷା
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସାରା ରାଜ୍ୟରେ ଜାରି ବର୍ଷା। ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିଛି ବର୍ଷା। ଆଗାମୀ ୪ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବା ବେଳେ ଉତ୍ତର ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଂଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛିଏହା ପ୍ରଭାବରେ ଓଡିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।
ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ସେହିପରି ମୌସୁମୀ ସିଜିନରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ବାଭାବିକ ରହିଛି ବର୍ଷା ପରିମାଣ। ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ।