ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):– ଯୁକ୍ତ ଦୁଇ ପରୀକ୍ଷାକୁ ଆହୁରି ସ୍ୱଛ କରିବା ପାଇଁ ନିଆଯାଇଛି ଆଉ ଏକ ପଦକ୍ଷେପ । ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ଶେଷ ବର୍ଷ ବୋର୍ଡ ପରୀକ୍ଷାର ହେବ ଲାଇଭ୍ ଷ୍ଟ୍ରିମିଙ୍ଗ । ଭୁବନେଶ୍ୱରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଲାଇଭ୍ ଷ୍ଟ୍ରିମିଙ୍ଗ ଲିଙ୍କ୍ ଦିଆଯିବ । ରାଜ୍ୟର ପ୍ରତି ପରୀକ୍ଷାକେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍କୁ ଲାଇଭ୍ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ । ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଏଭଳି ବ୍ୟବସ୍ଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗ୍ରହଣ କରିଛି । ପ୍ରତିବର୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗୁଛି । ପରୀକ୍ଷାକେନ୍ଦ୍ର ଗୁଡ଼ିକରେ ସିସିଟିଭି ଇନଷ୍ଟଲେସନ ନେଇ ସ୍ଥିତି କ’ଣ ତାହା ଡିସେମ୍ବର ୧୫ ସୁଦ୍ଧା ପରିଷଦକୁ ଜଣାଇବା ଲାଗି CHSE ପରୀକ୍ଷା ନିୟନ୍ତ୍ରକ ସବୁ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ।ଏଥି ମଧ୍ୟରେ ଜାନୁଆରୀରେ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ହେବ । ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯେଉଁ ପୂର୍ବ ବର୍ଷଗୁଡ଼ିକରେ କେତେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିଲେ ମଧ୍ୟ ତାହା ଅଚଳ ହୋଇଯାଇଥିବା ନଜରକୁ ଆସିଛି । ତେଣୁ ପରୀକ୍ଷା ପୂର୍ବରୁ ସିସିଟିଭି ସଜାଡ଼ିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତାବର୍ଷ ଫେବୃୟାରୀ 14 ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ମାର୍ଚ୍ଚ 13 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବଧିରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ହେବ । ପରିଷଦ ପ୍ରଥମଥର ପାଇଁ ପ୍ରାୟ 6 ମାସ ପୂର୍ବରୁ ଫର୍ମ ଫିଲଅପ ଠୁ ଆରମ୍ଭ କରି ପରୀକ୍ଷା ଓ ଫଳ ପ୍ରକାଶନ ସଂକ୍ରାନ୍ତରେ ବାର୍ଷିକ କ୍ୟାଲେଣ୍ଡର ଜାରି କରିବା ସୂଚନା ଦେଇଛି ।