ବିପ୍ଲବୀ ପରିକ୍ରମା ଡିଜିଟାଲ :- ଖସୁଛି ପାରଦ ବଢୁଛି ଶୀତ । ଥରୁଛି ସାରା ରାଜ୍ୟ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲାକୁ କୋଲ୍ଡ ୱେଭ୍ ପାଇଁ ପାଣିପାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଗକୁ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲ୍ଡ ୱେଭ୍ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶା । ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲ୍ଡ ୱେଭ୍ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଜି (ରବିବାର) ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ ଏହି ୨ ଜିଲ୍ଲାରେ ଶୀତର ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି । ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ୩ ଦିନ ପରେ ୨ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।
ଅନ୍ୟପଟେ ୧୭ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୭ ତାରିଖରେ ଗଜପତି, ଗଂଜାମ ପୁରୀ ,ରାୟଗଡା ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୮ ତାରିଖରେ ଗଜପତି, ଗଂଜାମ, ପୁରୀ, ରାୟଗଡା, ଖୋର୍ଦ୍ଧା, ନୟାଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।