ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଉପାଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହାକୁ ଗ୍ରହଣ ମଧ୍ୟ କରାଯାଇଛି । ରାଜ୍ୟସଭା ସଂସଦୀୟ ବୁଲେଟିନ ମାଧ୍ୟମରେ ନଡ୍ଡାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ତେବେ ନଡ୍ଡା ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଇସ୍ତଫା ସମ୍ପର୍କରେ ନଡ୍ଡାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନି ।
ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ଦଳ ନଡ୍ଡାଙ୍କ ନାମ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।ରାଜ୍ୟସଭା ସଂସଦୀୟ ବୁଲେଟିନରେ କୁହାଯାଇଛି ଯେ, ହିମାଚଳ ପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସଦସ୍ୟ ଜଗତ ପ୍ରକାଶ ନଡ୍ଡା ରାଜ୍ୟସଭାର ନିଜ ସିଟରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ମାର୍ଚ୍ଚ ୪ ତାରିଖରେ ରାଜ୍ୟସଭା ସଭାପତି ଗ୍ରହଣ କରିନେଇଛନ୍ତି ।
କିଛି ଦିନ ତଳେ ୫୭ଟି ରାଜ୍ୟସଭା ସିଟରେ ନିର୍ବାଚନ ହେଇଥିଲା । ସେତେବେଳେ ଗୁଜରାଟରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାର୍ଚିତ ହେଇଥିଲେ ଜେପି ନଡ୍ଡା । ତାଙ୍କ ସହିତ ଜନବନ୍ତସିଂହ ପରମାର, ମୟଙ୍କ ନାୟକ ଓ ଗୋବିନ୍ଦଭାଇ ଢୋଲକିଆ ଗୁଜରାଟରୁ ରାଜ୍ୟସଭା ନିର୍ବାଚିତ ହେଇଥିଲେ । ଆଉ ଗୁଜରାଟରୁ ନିର୍ବାଚିତ ହେବା ପରେ ଏବେ ହିମାଚଳ ପ୍ରଦେଶର ରାଜ୍ୟସଭା ସିଟରୁ ଇସ୍ତଫା ଦେଇଛନ୍ତି ନଡ୍ଡା ।