ବିପ୍ଲବୀ ପରିକ୍ରମା ଡିଜିଟାଲ :-:ଡିସେମ୍ବର ସୁଦ୍ଧା ଶେଷ ହେବାକୁ ଯାଉଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ। ଗତ ଜୁନ ମାସରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ କାର୍ଯ୍ୟକାଳକୁ ଡିସେମ୍ବର ଯାଏଁ ବର୍ଦ୍ଧିତ କରାଯାଇଥିଲା। ଗତ ନିର୍ବାଚନରେ ନଡ୍ଡାଙ୍କ ଭୂମିକା ବହୁତ ଗୁରୁତ୍ୱ ବହନ କରିଥିଲା।
ଏହାରି ଭିତରେ ବିଜେପି ରାଷ୍ଟ୍ରୀୟ ସଭାପତି ପଦ ପାଇଁ କେତେକ ଚେହେରାକୁ ନେଇ ବଡ଼ ଚର୍ଚ୍ଚା ହେଉଛି। ଏହି ପଦ ପାଇଁ ଦୌଡ଼ରେ ଅଛନ୍ତି ରାଜନୀତିର କେତେକ ଚର୍ଚ୍ଚିତ ଚେହେରା। ଉତ୍ତରପ୍ରଦେଶର ଧର୍ମେନ୍ଦ୍ର ଯାଦବ, ମନୋହର ଲାଲ ଖଟ୍ଟର, ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂହ ଚୌହାନଙ୍କ ନାମ ରେସରେ ଅଛି। ତେବେ ସବୁଠୁ ଆଗରେ ରହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ସଫଳ ରୁପାନ୍ତରିତ ହେଉଥିବାର ଅନେକ ଥର ପରିଲକ୍ଷିତ ହୋଇଛି। ଯେପରିକି ଗତ ହରିୟାଣା ଇଲେକ୍ସନରେ ବିଜେପି ପରାଜୟ ସବୁଠି ଦେଖା ଯାଉଥିଲା। ଗତ ୧୦ ବର୍ଷ ଧରି ବିଜେପି ହରିୟାଣାରେ ଶାସକ ଥିବା ବେଳେ ତା ବିରୋଧରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଉଥିଲା। ଏକ୍ଜିଟ ପୋଲ ମଧ୍ୟ ବିଜେପି ସପକ୍ଷରେ ଯାଇ ନଥିଲା। କିନ୍ତୁ ସବୁ କଳ୍ପନାଜଳ୍ପନାକୁ ମାତ ଦେଇ ବିଜେପି ଇତିହାସ ସୃଷ୍ଟି କରିଥିଲା। କିପରି କମ୍ କଥାରେ କାମ ଅଧିକ କରି ହୁଏ, ତା’ର ଶ୍ରେଷ୍ଠ ଉଦାହରଣ ଦେଖିବାକୁ ମିଳିଥିଲା ଧର୍ମେନ୍ଦ୍ରଙ୍କ ପାଖରେ। ହରିୟାଣାରେ ଗତ କିଛି ମାସ ଧରି ଦେଖା ଦେଉଥିବା ରାଜନୈତିକ ଅସ୍ଥିରତା ବିଜେପିକୁ ଭାରି ପଡ଼ିପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ହରିୟାଣାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଠିକ୍ ରଣନୀତି ଯୋଗୁଁ ଶେଷରେ ବିରୋଧୀ ଦଳ ଉପରେ ପଲା ଭାରି ପଡ଼ିଥିଲା। ବିଜେପିର ଅପ୍ରତ୍ୟାଶିତ ବିଜୟ ସମସ୍ତଙ୍କୁ ଚକିତ କରିଥିଲା। ହାରିବାର ଖେଳକୁ ଜିତିବାରେ ରୂପାନ୍ତରିତ କରିଥିଲେ ଧର୍ମେନ୍ଦ୍ର l