କାନାଡା ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ସଂଧ୍ୟାରେ ଟ୍ରୁଡୋ ଦେଶକୁ ସମ୍ବୋଧିତ କରି ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି । ଗତ କିଛି ଦିନ ତାଙ୍କୁ ନେଇ ଶାସକ ଦଳ ‘ଲିବେରାଲ ପାର୍ଟି’ରେ ଅସନ୍ତୋଷ ଜାରି ରହିଥିଲା । କିଛି ମନ୍ତ୍ରୀଙ୍କ ଇସ୍ତଫା ଓ ସହଯୋଗୀଙ୍କ ସମର୍ଥନ ପ୍ରତ୍ୟାହାର କାରଣରୁ ତାଙ୍କ ସରକାର ଅଳ୍ପମତକୁ ମଧ୍ୟ ଚାଲିଯାଇଥିଲା । ନିର୍ବାଚନ ପୂର୍ବରୁ କୌଣସି ପରିସ୍ଥିତିରେ ସେ ଇସ୍ତଫା ଦେଇପାରନ୍ତି ଚର୍ଚ୍ଚା ହେଉଥିବା ବେଳେ ଆଜି ସେ ପଦ ଛାଡିଛନ୍ତି । ଇସ୍ତଫା ସମ୍ପର୍କିତ ସମ୍ବୋଧନରେ ଟ୍ରୁଡୋ କହିଛନ୍ତି, “ମୁଁ ଲିବେରାଲ୍ ପାର୍ଟିର ନେତା ତଥା ପ୍ରଧାନମନ୍ତ୍ରୀ ଭାବରେ ମୋର ଇସ୍ତଫା ଘୋଷଣା କରିଛି । ମୁଁ ଅନୁଭବ କରୁଛି, 2025 ନିର୍ବାଚନ ପାଇଁ ମୁଁ ଲିବେରାଲ୍ ପାର୍ଟି ପାଇଁ ଜଣେ ପ୍ରାର୍ଥୀ ଭାବେ ଭଲ ବିକଳ୍ପ ନୁହେଁ ।” କାନାଡାର କିଛି ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଟ୍ରୁଡୋ ତାଙ୍କ ଉତ୍ତରାଧିକାରୀ ଚୟନ ନହେବା ପର୍ଯ୍ୟନ୍ତ କାମଚଳା ତଥା ଅନ୍ତରୀଣ ପ୍ରଧାନମନ୍ତ୍ରୀ ପଦରେ ରହି କାର୍ଯ୍ୟ କରିବେ । ଟ୍ରୁଡୋଙ୍କ ଇସ୍ତଫା କାରଣକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ଘୋଷଣା ହୋଇପାରେ । ଟ୍ରୁଡୋ ତାଙ୍କ ପାର୍ଟିରୁ ନିର୍ବାଚନ ଲଢିବେ କି ନାହିଁ, ତାହା ସେ କିମ୍ବା ଲିବେରାଲ ପାର୍ଟିର ଅନ୍ୟ ନେତା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଟ୍ରୁଡୋଙ୍କ ନେତୃତ୍ବାଧୀନ ‘ଲିବରାଲ୍ ପାର୍ଟି’ ରେ କିଛି ଦିନ ଦଳୀୟ ଅସନ୍ତୋଷ ଲାଗି ରହିଛି । କିଛି ସାଂସଦ ଟ୍ରୁଡୋଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଇସ୍ତଫା ଦେଇଥିଲେ ।

ନିକଟରେ ଉପ-ପ୍ରଧାନମନ୍ତ୍ରୀ ତଥା କାନାଡାରେ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ କ୍ୟାବିନେଟରୁ ଇସ୍ତଫା ଦେବା ସହ ଟ୍ରୁଡୋ ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଥିଲେ । କାନାଡାର ଜାତୀୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରୁ ଦେଶବାସୀଙ୍କ ଦୃଷ୍ଟି ଭ୍ରଷ୍ଟ କରିବା ପାଇଁ ଟ୍ରୁଡୋ ଉଦ୍ଦେଶ୍ୟମୂଳକ ଭାବେ ଭାରତ ବିରୋଧୀ ଏଜେଣ୍ଡା ଚଳାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here