ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ଘରୋଇ ସ୍କୁଲର ହଷ୍ଟେଲରେ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦେଇ ମାରିଥିବା ଅଭିଯୋଗ ନେଇ ଗଞ୍ଜାମ ଏସପିଙ୍କୁ ଭେଟିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କମାପଲ୍ଲୀ ଗ୍ରାମବାସୀ l ସୂଚନା ମୁତାବକ, କଳାଯମୁନା ସାଇ ସରସ୍ୱତୀ ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ର କିରଣ ପ୍ରଧାନଙ୍କ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୃତ୍ୟୁ ଘଟିଥିଲା l ହଷ୍ଟେଲରେ ଥିବା ସମୟରେ କିରଣଙ୍କ ପେଟ କାଟିବା ଯୋଗୁ ପ୍ରଥମେ ଛତ୍ରପୁର ଏଵଂ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା l ସେଠାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଘଟଣା ପରେ ପୁଅକୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ ଆଣିଥିଲେ ମୃତ କିରଣଙ୍କ ବାପା ପ୍ରହ୍ଲାଦ ପ୍ରଧାନ l ପୋଷ୍ଟମଟମ ରିପୋର୍ଟରେ ମଧ୍ୟ ବିଷ ଖାଇ ମୃତବରଣ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ପୋଲିସ କାହିଁକି ଉକ୍ତ ଘଟଣାର ତଦନ୍ତ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ l
ହଷ୍ଟେଲରେ ଅନ୍ୟଜଣେ ଛାତ୍ର ବିସ୍କୁଟରେ ବିଷ ଦେଇଥିବା ପରିବାର ଲୋକେ କହିଥିବା ବେଳେ ସ୍କୁଲ ଗେଟ ନିକଟରୁ ଏକ ବିଷ ସିସି ମଧ୍ୟ ଜବତ ହୋଇଥିଲା l ହେଲେ ଉକ୍ତ ଘଟଣାକୁ ତିନି ମାସ ବିତିଯାଇଥିଲେ ସୁଦ୍ଧା ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠିଛି l ଏଣୁ ଉକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଗଞ୍ଜାମ ଏସପିଙ୍କୁ ଭେଟି ଗୁହାରି ଜଣାଇଛନ୍ତି ଗ୍ରାମବାସୀ l