ବିପ୍ଲବୀ ପରିକ୍ରମା ଡିଜିଟାଲ:- ଭୁବନେଶ୍ୱରରେ ସକାଳୁ ସକାଳୁ ପ୍ରଚଣ୍ଡ ତାତିର ଆଭାସ ମିଳିସାରିଥିଲା l ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ପରିଲକ୍ଷିତ ହେଉଛି । ୩୭ ଡିଗ୍ରୀ ଅତିକ୍ରମ କଲା ରାଜଧାନୀର ତାତି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୮.୭% ଆଦ୍ରତା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାରେ ତ ଅସହ୍ୟ ହେଲାଣି ତାତି, ନା ଘରେ ରହି ହେଉଛି ନା ବାହାରେ। ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ । ଜରୁରୀ କାମ ଥିଲେ ଚଷମା, ଟୋପି ଓ ଓଦା ଗାମୁଛା ସାହାରା । ଅନ୍ୟପଟେ ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ମେ ୨୧ ତାରିଖ ଅର୍ଥାତ ଆସନ୍ତାକାଲି ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ମେ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।