ତିରୁପତି ( ବିପ୍ଲବୀ ପରିକ୍ରମା ):- କୋଟି କୋଟି ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି ଶକ୍ତ କୁଠାରଘାତ। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀଙ୍କ ବିଶ୍ବବ୍ୟାପୀ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ। ସତରେ କଣ ତିରୁପତି ବାଲାଜୀଙ୍କ ପ୍ରସାଦ ତିଆରିରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବିରୁ ପ୍ରସ୍ତୁତ ଘିଅ ? ଏ ପ୍ରଶ୍ନ ଏବେ କେବଳ ଦକ୍ଷିଣ ଭାରତ ନୁହେଁ, ବରଂ ସମଗ୍ର ଦେଶ ଏବଂ ଦେଶ ବାହାରେ ଥିବା କୋଟି କୋଟି ହିନ୍ଦୁଙ୍କ ଭାବନାରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।। ରାଜ୍ୟରେ ବର୍ତ୍ତମାନ କ୍ଷମତାରେ ଥିବା ଟିଡିପି ନେତୃତ୍ବାଧୀନ ସରକାର ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ପରେ ଏବେ ସାରା ଦେଶରେ ଏ ବିବାଦକୁ ନେଇ ଚର୍ଚ୍ଚା।ଏପଟେ ଆନ୍ଧ୍ରପ୍ରଦେଶରୁ ଆରମ୍ଭ ହୋଇଥିବା ଧର୍ମୀୟ ପ୍ରସଙ୍ଗ ଏବେ ପାଲଟିଛି ଦେଶର ସବୁଠୁ ବଡ଼ ରାଜନୈତିକ ପ୍ରସଙ୍ଗ। କାରଣ ଏ ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆନ୍ଧ୍ର ପ୍ରଦେଶରେ ଏବେ ଶାସନରେ ଥିବା ଟିଡିପି ଏ ଘଟଣା ପାଇଁ ପୂର୍ବ ସରକାରକୁ ଦାୟୀ କରିଥିବା ବେଳେ, ପୂର୍ବରୁ ଶାସନରେ ଥିବା ୱାଇଏସଆର୍ କଂଗ୍ରେସ ଦଳର ମୁଖିଆ ୱାଇ ଏସ ଜଗନମୋହନ ରେଡ୍ଡି ଏହାକୁ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି। ଭେଙ୍କଟେଶ୍ବରଙ୍କ ପ୍ରସାଦର ପବିତ୍ରତା ନଷ୍ଟ କରିବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଶାସନ କଳକୁ ଟିଡିପି ଆଙ୍ଗୁଠି ଦେଖାଇ ଥିବା ବେଳେ ସେପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହି ଚନ୍ଦ୍ରବାବୁ ରାଜନୈତିକ ଫାଇଦା ପାଇଁ ଯେକୌଣସି ଯାଇ ପାରନ୍ତି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ।ସେପଟେ ଆନ୍ଧ୍ରପ୍ରଦେଶ କଂଗ୍ରେସ ଏ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ୨୦୨୩ ରେ ଆନ୍ଧ୍ରରେ YSRCP ଶାସନ ସମୟରୁ ଆରମ୍ଭ ହୋଇଥିବା ଚକ୍ରାନ୍ତର ହୋଇସାରିଛି ପର୍ଦ୍ଦାଫାସ । ହେଲେ ବର୍ତ୍ତମାନ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପ୍ରସାଦ ଭାବେ ଦୈନିକ ପ୍ରାୟ ସାଢେ 3 ଲକ୍ଷ ଲଡୁ ପ୍ରସ୍ତୁତିରେ ଶୁଦ୍ଧ ଘିଅ ବ୍ୟବହାର ହେଉଥିବା ନିଶ୍ଚିତ କରିଛନ୍ତି ସିଏମ ଚନ୍ଦ୍ରବାବୁ ।