ବିପ୍ଲବୀ ପରିକ୍ରମା ବ୍ୟୁରୋ ; ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆ ଜରିଆରେ ଦେଲେ ସୂଚନା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଲେଖିଲେ । ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ ।ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ । ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି । ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ । ତେଣୁ ବିଜେପି ଛାଡିବାର ନିଷ୍ପତ୍ତି ନେଇଥିବା କହିଛନ୍ତି ଲେଖାଶ୍ରୀ । ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ମଧ୍ୟରେ ବଢ଼ି ଚାଲିଛି ଦଳଡିଆଁ ପ୍ରତିଯୋଗିତା ।ଗତକାଲି ମଧ୍ୟ ବିଜେପି ଛାଡ଼ିଥିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ସେ ମଧ୍ୟ ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ । ବସ୍ତା ବିଧାନସଭା କ୍ଷେତ୍ରରୁ ସେ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ । ଏକଦା ସେ ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ । ଗିରଫ କରାଯିବା ପରେ ରଘୁଙ୍କୁ ବିଜେଡି ନିଲମ୍ବିତ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ରଘୁ ବିଜେପିରେ ଯୋଗଦେଇଥିଲେ । ଅନ୍ୟପଟେ ବିଜେପିରେ ସାମିଲ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ । ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ । ୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ । ବିଜେପି ଏଥର ଆଠମଲ୍ଲିକରୁ ପୂର୍ବତନ ବିଧାୟକ ସଞ୍ଜୀବ ସାହୁଙ୍କୁ ଟିକେଟ୍ ଦେଇଛି । ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ । ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ ।