ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜୀବିତ ମହିଳାଙ୍କୁ ମାରିଦେଲେ। ବଞ୍ଚିଥିବା ମହିଳାଙ୍କୁ କାଗଜ କଲମରେ ମୃତ ବୋଲି ଦର୍ଶାଇ ଦେଲେ। ଫଳରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି ମହିଳା , ଏଭଳି କିଛି ଅଭିଯୋଗ ଆଣିଛନ୍ତି ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ.ସୀତାପୁର ପଞ୍ଚାୟତ ବିଶିରିଙ୍ଗୀ ଗ୍ରାମର ଜି ନିର୍ମଳା ।
ମିଳିଥିବା ସୁଚନା ପ୍ରକାରେ ମହିଳା ଜଣକ ସୁଭଦ୍ରା ଯୋଜନାରେ ଗତ ବର୍ଷ ଅର୍ଥାତ୍ ୨୦୨୪ ସେପ୍ଟେମ୍ବର ୯ ତାରିଖରେ ସଫଳତାର ସହ ପଞ୍ଜିକୃତ ହୋଇଥିଲେ ଏବଂ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ମଧ୍ୟ ପାଇଥିଲେ , ଦ୍ଵୀତୀୟ କିସ୍ତି ବେଳକୁ ଆଉ ଟଙ୍କା ନ ଆସିବାରୁ କାରଣ ଜାଣିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କୁ କୁଆଡେ ସରକାରୀ ତଥ୍ୟରେ ମୃତ ଘୋଷଣା କରାଯାଇଛି , ତେଣୁ ସୁଭଦ୍ରା କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ଉକ୍ତ ମହିଳା । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। ଏଭଳି ତୃଟି ଜଣକର ନୁହେଁ ସେହି ଗ୍ରାମର ଏଭଳି ଅନେକ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି କିଏ ଗୋଟିଏ କିସ୍ତି ପାଇଛନ୍ତି ତ ଆଉ କିଏ ଆଦୌ ପାଇନାହାନ୍ତି। ଯାହାର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ତାକୁ ଦଶ ଏକର ଜମିର ମାଲିକ ଦର୍ଶାଇ ଦିଆଯାଇଛି ଆଉ କାହାକୁ ପାଞ୍ଚ ଏକର ଜମିର ମାଲିକ । ଏପରିିକି ଯେଉଁ ପରିବାରରେ ବଞ୍ଚିବାକୁ ପ୍ରତିଦିନ ଶ୍ରମ ଖଟିବାକୁ ନ ଗଲେ ନ ଚଳେ ସେଭଳି ପରିବାରକୁ ସରକାରୀ ଚାକିରିଆ ଦର୍ଶାଯାଇଛି ।
ଏଭଳି ଅନେକ ତୃଟି ଯୋଗୁ ପଞ୍ଚାୟତର ଅନେକ ମହିଳା ସୂଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ତେଜେଶ୍ଵର ରାଓ । ଅଭିଯୋଗ ସମ୍ପର୍କରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଙ୍କ କହିବା ହେଲା ଏହା ଏକ ନିରନ୍ତର ପ୍ରକ୍ରିୟା ଏବଂ ଅନଲାଇନ ମାଧ୍ୟମରେ ପୋର୍ଟାଲରେ ଅଭିଯୋଗ କରିଲେ ସମସ୍ୟାର ସମାଧନ ହୋଇପାରିବ |