ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ଯେତିକି ଯେତିକି ପାଖଉଛି, ପ୍ରାର୍ଥୀ ଘୋଷଣା ଓ ଟିକେଟ୍ କସରତ୍ ଭିତରେ ସେତିକି ବଢ଼ି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ। ଟିକେଟ୍ ଘୋଷଣା ହେବାକୁ ଅପେକ୍ଷା ଭିତରେ ତେଜିଛି ଦଳଡିଆଁ ରାଜନୀତି । ଖାସକରି ଶାସକ ଦଳରେ ଚାଲିଛି ମିଶ୍ରଣ ପର୍ବ । ବିଜେପି ଓ କଂଗ୍ରେସ ଦଳର ନେତା ଏବେ ବିଜେଡିକୁ ଡିଆଁ ମାରୁଛନ୍ତି । ଅନ୍ୟପଟେ ଶେଷ ମୁହୁର୍ତରେ ଟିକେଟ ପାଇଁ ନବୀନ ନିବାସରେ ଲବି । ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ରହିଛି ଅପେକ୍ଷା । ୭୫ ବିଧାନସଭା ଓ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ଦଳ । ଏଥିପାଇଁ ସକାଳୁ ସଂଜ ଯାଏଁ ନବୀନ ନିବାସ ଆଗରେ ନେତା ଓ କର୍ମୀଙ୍କ ଭିଡ଼ ଜମୁଛି ।
ହେଲେ ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି । ତୃତୀୟ ପର୍ଯ୍ୟାୟରେ ବଡ଼ ବଡ଼ ନେତା ଏବଂ ବହୁ ଚର୍ଚ୍ଚିତ ଆସନ ପାଇଁ ଟିକେଟ୍ ଘୋଷଣା ହେବାକୁ ରହିଛି ।ଭୁବନେଶ୍ୱରରେ ୩ଟି ଆସନରେ ଏବେବି ପ୍ରାର୍ଥୀ ଘୋଷଣା ହୋଇନାହିଁ । ବିଶେଷକରି ଯେଉଁ ଆସନରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଅଧିକ ରହିଛି । ସେହି ଆସନ ଗୁଡିକରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ଗତକାଲି ଶଙ୍ଖଭବନରେ ଭୁବନେଶ୍ୱର ପାଇଁ କସରତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି, ଭୁବନେଶ୍ୱର ଏକ ଆସନରେ ସରର୍ପାଇଜ୍ କାର୍ଡ ଖେଳିପାରେ ଦଳ ।ସେପଟେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ବି ଦଳ ଭିତରେ ଅନେକ ଆଶାୟୀଙ୍କ ଭିଡ଼ ଓ ଅନ୍ତଃ କନ୍ଦଳ ଯୋଗୁଁ ଅନେକ ଆସନରେ ବିଜେଡିର ଟିକେଟ ଅଙ୍କ ଛିଣ୍ଡୁନି । ଏପରିକି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନ, ସାନଖେମୁଣ୍ଡି, ଖଲ୍ଲିକୋଟ ସହ କୋରାପୁଟର ଜୟପୁର ଭଳି ଆସନର ଟିକେଟ ଘୋଷଣା ହୋଇନି ।
ଅନ୍ୟପଟେ ନିର୍ବାଚନ ବେଳେ ଓଡ଼ିଆ ସିନେମାର ୪ ହିରୋ ବିଜେଡି ଛାଡ଼ି ଦେଇଛନ୍ତି। ଅଭିନେତାରୁ ରାଜନେତା ପାଲଟିଥିବା ଏହି ୪ ହିରୋଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ଯୋଗ ଦେଇଥିବା ବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡି ଛାଡ଼ିଥିବା ଏହି ୪ ହିରୋ ହେଉଛନ୍ତି – ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। ତେବେ ଷ୍ଟାର ମାନଙ୍କ ଇସ୍ତଫା ବିଜେଡି ପାଇଁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି । ଜଣଙ୍କ ପରେ ଜଣେ ଅଭିନେତା ଦଳ ଛାଡ଼ିବା ବିଜେଡି ପାଇଁ ଶୁଭଙ୍କର ନୁହେଁ ବୋଲି ଅନେକ ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି ।ତେବେ ଏହାରି ଭିତରେ କଣ ନୂଆ ପ୍ଲାନ କରିବେ ବିଜେଡି ସୁପ୍ରିମୋ ତାହା ଦେଖିବାକୁ ବାକି ରହିଲା l