ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଉପକଣ୍ଠ ପଞ୍ଚମା ଗାଁର ନୃସିଂହ ପ୍ରଧାନଙ୍କ ସ୍ତ୍ରୀ ଲକ୍ଷ୍ମୀ ମଣ୍ଡଳଙ୍କୁ ପୁଣି ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ । ଲକ୍ଷ୍ମୀଙ୍କୁ ଘରେ ବନ୍ଦ କରି ବାହାର ପଟୁ ତାଲା ପକାଇ ଦେଇଛନ୍ତି ତାଙ୍କ ଶାଶୁଘର ଲୋକେ । ଆଉ ଦୀର୍ଘ ୨୧ରୁ ଉର୍ଦ୍ଧ୍ବ ଦିନ ହେଲା ସେଭଳି ବନ୍ଦୀ ହୋଇ ଘରେ ଜୀବନ କାଟୁଥିବା ନେଇ ଏକ ଭିଡ଼ିଓ ଜାରୀ କରି ଅଭିଯୋଗ କରିଛନ୍ତି ଖୋଦ୍ ଲକ୍ଷ୍ମୀ । ସେପଟେ ଶାଶୁ ଘର ଲୋକେ ତାଲା ପକାଇ ନାହାନ୍ତି ବରଂ ଲକ୍ଷ୍ମୀ ନିଜେ ଘର ଭିତରେ ରହି ଭିତରପଟୁ ତାଲା ପକାଇଛନ୍ତି । ଯାହାଫଳରେ ନୃସିଂହଙ୍କ ଘର ଲୋକେ ଦୀର୍ଘ ୨୨ ଦିନ ହେଲା ଘରୁ ନ ଯାଇପାରି ବାହାରେ ହିଁ ରହୁଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମୀଙ୍କ ଶାଶୁ ।
ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଶାଶୁ ଘର ଲୋକଙ୍କ ଠାରୁ ନିର୍ଯ୍ୟାତନା ପାଇଥିବା ଲକ୍ଷ୍ମୀଙ୍କ କାହାଣୀ । ନିଜେ ଲକ୍ଷ୍ମୀ ଭିଡ଼ିଓ ଜାରୀ କରି ନିଜର ଦୁଃଖ ବଖାଣୁଛନ୍ତି । ଆମେ କହୁଛୁ ବ୍ରହ୍ମପୁର ଉପକଣ୍ଠ ପଞ୍ଚମାର ନୃସିଂହଙ୍କ ପତ୍ନୀ ଲକ୍ଷ୍ମୀ ମଣ୍ଡଳଙ୍କ କଥା । ଲକ୍ଷ୍ମୀଙ୍କୁ ତାଙ୍କ ଶାଶୁ ଘର ଲୋକେ ଗତ ୨୧ରୁ ଉର୍ଦ୍ଧ୍ବ ଦିନ ହେଲା ଘରେ ବନ୍ଦ ରଖି ବାହାରୁ ତାଲା ପକାଇ ଦେଇଛନ୍ତି । ଯାହାଫଳରେ ଘରେ ଏକୁଟିଆ ଅଖିଆ ଅପିଆ ଭାବେ ରହିଛନ୍ତି । ନିଜ ପୁଅ ନୃସିଂହକୁ କେଉଁଆଡ଼େ ପଠାଇ ଦେଇ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଇଥିବା ନେଇ ଭିଡ଼ିଓ ଜାରୀ କରିଛନ୍ତି ଲକ୍ଷ୍ମୀ । ଲକ୍ଷ୍ମୀ ନୃସିଂହ ପ୍ରଧାନଙ୍କ ମଧ୍ୟରେ ଚାରି ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା । ତେବେ ନୃସିଂହ ବିବାହର ପ୍ରତିଶୃତି ଦେଇ ଲକ୍ଷ୍ମୀଙ୍କ ସହ ଶାରରୀକ ସମ୍ପର୍କ ସ୍ଥାପନ କରିଥିଲେ । ପ୍ରେମ ଓ ଉଭୟଙ୍କ ମଧ୍ୟରେ ଶାରୀରିକ ସର୍ମ୍ପକ ରହିଥିବା ନେଇ ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ୨୦୨୧ ଡିସେମ୍ବର ୨୩ ତାରିଖରେ ଉଭୟଙ୍କ ବିବାହ ଗାଁ ମନ୍ଦିରରେ ହୋଇଥିଲା । ଏହାପରେ ଡ଼ିସେମ୍ବର ୨୭ ତାରିଖରେ ଲକ୍ଷ୍ମୀଙ୍କ ସହ ସେହି ଗାଁର ନୃସିଂହ ପ୍ରଧାନ କୋର୍ଟରେ ବିବାହ ନେଇ ଶପଥପାଠ କରିଥିଲେ । ଏହାପରେ ମଧ୍ୟ ଲକ୍ଷ୍ମୀଙ୍କୁ ତାଙ୍କ ଶାଶୁ ଘର ଲୋକେ ଗ୍ରହଣ କରିନଥିଲେ । ଯାହାକୁ ନେଇ ଲକ୍ଷ୍ମୀ ଗତ ଏକ ବର୍ଷ ପୂର୍ବରୁ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଜରିଆରେ ମାମଲାର ସମାଧାନ ହୋଇ ଏକ ବର୍ଷ ଧରି ନୃସିଂହ ଓ ଲକ୍ଷ୍ମୀ ଏକାଠି ରହୁଥିଲେ । ଏକ ବର୍ଷ ଧରି ଏକାଠି ରହିବା ପରେ ତାଙ୍କ ପରିବାର ଲୋକେ ଏହାକୁ ସହ୍ୟ କରିନପାରି ନୃସିଂହକୁ କେଉଁଆଡ଼େ ପଠାଇ ଦେଇଛନ୍ତି । ଏହାପରେ ବାହାରୁ ତାଲା ପକାଇ ଦେଇଥିଲେ । ଗାଳିଗୁଲଜ କରିବା ପରେ ନିଜ ଜୀବନକୁ ସୁରକ୍ଷା ପାଇଁ ଭିତରପଟୁ ନିଜେ ତାଲା ପକାଇଥିବା କହିଛନ୍ତି ଲକ୍ଷ୍ମୀ ।
ସେପଟେ ନୃସିଂହ ସହିତ ବିବାହ କରିବାର କୌଣସି ପ୍ରମାଣପତ୍ର ଲକ୍ଷ୍ମୀଙ୍କ ନିକଟରେ ନାହିଁ । ପ୍ରମିଳା ତ୍ରିପାଠୀଙ୍କ କଥାରେ ପଡ଼ି ଲକ୍ଷ୍ମୀ ଘରେ ପଶିଛି । ଆଉ ଲକ୍ଷ୍ମୀଙ୍କୁ କେହି ବାହାରପଟୁ ତାଲା ପକାଇନାହିଁ । ବରଂ ଘରେ କେହି ନଥିବାର ସୁଯୋଗ ପାଇ ସେ ଘରେ ରହି ଭିତରପଟୁ ତାଲା ପକାଇଦେଇଛି । ଯାହାଫଳରେ ଦୀର୍ଘ ୨୧ ଦିନରୁ ଉର୍ଦ୍ଧ୍ବ ସମୟ ହେଲା ବାହାରେ ହିଁ ଖାଇବା, ପିଇବା ଠାରୁ ଆରମ୍ଭ କରି ଶୋଉଥିବା କହିଛନ୍ତି ନୃସିଂହଙ୍କ ମା । ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ସୁଦ୍ଧା ପୋଲିସ କିଛି ପଦକ୍ଷେପ ନେଉନଥିବା କହିଛନ୍ତି ନୃସିଂହଙ୍କ ଭଉଣୀ । ତେବେ ଗତ ୨୦୨୧ ମସିହାରେ ଲକ୍ଷ୍ମୀଙ୍କୁ ନୃସିଂହ ଦୁଷ୍କର୍ମ କରିଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ । ଯାହାଫଳରେ ଦୀର୍ଘ ୪ ମାସ ଧରି ଜେଲରେ ରହିଥିଲେ ନୃସିଂହ । ଆଉ ସେହି ମାମଲାର ବର୍ତ୍ତମାନ ବିଚାରଣା ଚାଲିଛି । ଉଭୟ ପକ୍ଷରୁ ଗୋଳନ୍ଥରା ଥାନାରେ ୫ଟି ମାମଲା ରୁଜୁ ହୋଇସାରିଲାଣି । କୌଣସି ପ୍ରକାରର ଅପ୍ରତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେଇଛି । ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବ୍ରହ୍ମପୁର ଏସ.ପି ଡା. ଶ୍ରବଣ ବିବେକ ଏମ l
ଲକ୍ଷ୍ମୀଙ୍କ ଦ୍ବାରା ରୁଜୁ ହୋଇଥିବା ଦୁଷ୍କର୍ମ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧିନ ଥିବା ଯୋଗୁଁ କୌଣସି ଆଖିଦୃଶିଆ ପଦକ୍ଷେପ ପୋଲିସ ନେଇପାରୁନଥିବା ବେଳେ ବିଚାରଣ ଶେଷ ହେବା ପରେ ହିଁ କୋର୍ଟର ନିଷ୍ପତ୍ତି ଅନୁସାରେ ପୋଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି l