ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନିଆରା ପରମ୍ପରା ଭିତରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା l ଏହି ପ୍ରସିଦ୍ଧ ଯାତ୍ରାରେ ଏକ ନିଆରା ପରମ୍ପରା ହେଉଛି ଘଟ ଯାତ୍ରା । ଘଟଯାତ୍ରାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ମାଁଙ୍କ ଯାତ୍ରା ଆରମ୍ଭ ହେବା ପରେ ମାଁ ଚାଙ୍ଗୁଡ଼ିରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଯାତ୍ରାର ତିନି ଦିନ ପରେ ମାଁଙ୍କ ଚାଙ୍ଗୁଡ଼ିରୁ ହାଣ୍ଡି ତଥା ଘଟକୁ ପରିବର୍ତ୍ତନ ହୋଇଥାନ୍ତି । ଯାତ୍ରାର ତିନି ଦିନର ଆଜି ସକାଳ ସମୟରେ ବ୍ରହ୍ମପୁର କୁମ୍ଭାରପଲ୍ଲୀରୁ ମାଁଙ୍କ ନିମନ୍ତେ ମୁଖ୍ୟ ହାଣ୍ଡି ସମେତ ଅନ୍ୟ ୮ଟି ପାର୍ଶ୍ବ ହାଣ୍ଡି ସହ ଦୀପ, ସରା ଭଳି ବିଭିନ୍ନ ମାଟି ସାମଗ୍ରୀ ଆଣି ମାଁଙ୍କ ବାପା ଘରକୁ ଆସିଥିଲେ କୁମ୍ଭକାର ପରିବାର । କୁମ୍ଭକାର ପରିବାର ପକ୍ଷରୁ ହାଣ୍ଡି ମାଁଙ୍କ ବାପ ଘରେ ପହଞ୍ଚିବା ପରେ ବାପା ଘରକୁ ଆସିଥାନ୍ତି ଆଇନାବନ୍ଧ ସାହିର ଏକ ପରିବାର । ମୁଖ୍ୟ ହାଣ୍ଡି ତଥା ଘଟରେ ମାଁ ବୁଢ଼ୀ ଠାକୁରାଣୀଙ୍କୁ ପୂଜା କରାଯାଉଥିବା ବେଳେ ଅନ୍ୟ ହାଣ୍ଡି ଗୁଡ଼ିକରେ ବ୍ରାହ୍ମୀ, ମାହେଶ୍ବରୀ, କୁମାରୀ, ବୈଷ୍ଣବୀ, ବରାହୀ, ଇନ୍ଦ୍ରାଣୀ, ମହାଲକ୍ଷ୍ମୀ ଓ ଶିବାୟୀଙ୍କୁ ପୂଜା କରାଯାଇଥାଏ । ଏହି ସମସ୍ତ ଘଟକୁ ଚିହ୍ନିତ କରିବା ପାଇଁ ଘଟ ଗୁଡ଼ିକୁ ମାଁଙ୍କ ସଙ୍କେତ ରଙ୍ଗରେ ରଙ୍ଗିନ କରାଯାଇଥାଏ । ମାଁଙ୍କ ବୁଢ଼ୀ ଠାକୁରାଣୀଙ୍କ ଘଟର ରଙ୍ଗ ରକ୍ତ ବର୍ଣ୍ଣ ହୋଇଥିବା ବେଳେ ହାଣ୍ଡିରେ ଦୁଇଟି ପାଦର ଚିହ୍ନ ମଧ୍ୟ କରାଯାଇଥାଏ । ସେହିପରି ଅନ୍ୟ ୮ଟି ହାଣ୍ଡିର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ମାଁଙ୍କ ଏହି ଘଟକୁ ପିଢ଼ି ପିଢ଼ି ଧରି ଆଇନବନ୍ଧର ସମ୍ପୃକ୍ତ ପରିବାର ଚିତ୍ରଣ କରିଥାନ୍ତି l
ବ୍ରହ୍ମପୁର ସହରର ଏହି ଠାକୁରାଣୀ ଯାତ୍ରା ୩ଶହ ବର୍ଷ ପୁରୁଣା । ସହର ବାସିନ୍ଦାଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ି ସାଆନ୍ତାଣୀ ପରମ୍ପରା ପ୍ରକାରେ ପ୍ରତି ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ତାଙ୍କ ବାପ ଘରକୁ ବିଜେ କରିଥାନ୍ତି । ପ୍ରତି ଥର ଭଳି ଏଥର ମଧ୍ୟ ଘଂଟ, ତାଳ, ବାଜା, ବାଜଣାର ବିରାଟ ପଟୁଆରରେ ଶ୍ରଦ୍ଧାଳୁଙ୍କ ଗହଣରେ ମାର୍ଚ୍ଚ ୩ ତାରିଖ ବିଳମ୍ବିତ ରାତିରେ ମାଆ ବିଜେ କରିଛନ୍ତି । ପ୍ରତି ଦୁଇ ବର୍ଷକୁ ଥରେ ମାଆ ଯାଇଥାନ୍ତି ବାପଘରକୁ ।
ପରମ୍ପରା ପ୍ରକାରେ ଯାତ୍ରାର ମୁଖ୍ୟ ପୁରୋଧା ତଥା ବୁଢ଼ି ସାହାନ୍ତାଣିଙ୍କ ବାପା ରୂପେ ଦୁର୍ଗା ପ୍ରସାଦ ଦେଶୀ ବେହେରା ଅନ୍ୟ ମାନଙ୍କ ଗହଣରେ ମାଆଙ୍କ ଡାକରା ପାଇଁ ମନ୍ଦିର ଯାଇଥିଲେ । ଚଳିତ ଯାତ୍ରାରେ ଅପୂର୍ବ ଆନନ୍ଦ, ଉତ୍ସାହର ସହ ସବୁ ବର୍ଗର ସବୁ ଶ୍ରେଣୀର ଭକ୍ତ ଓ ଶ୍ରଦ୍ଧାଳୁ ଯୋଡ଼ି ହୋଇଥିଲେ । ପରମ୍ପରା ପ୍ରକାରେ ଦିନ ତମାମ୍ ସ୍ଥାୟୀ ମନ୍ଦିର ଓ ଅସ୍ଥାୟୀ ମନ୍ଦିର ନିକଟରେ ବିଭିନ୍ନ ପୂଜାର୍ଚ୍ଚନା ସହ ଚର୍ତୁଦିଗ ବନ୍ଧନର କାର୍ଯ୍ୟ ସମାପନ ହୋଇଥିଲା । ଚାଙ୍ଗୁ ବାଜା,ଘଣ୍ଟ, ତାଳ, ମହୁରୀ ର ତାଳେ ତାଳେ ପରଭା ନୃତ୍ୟ ର ଉସବ ଭିତରେ ଭକ୍ତ ଙ୍କ ଗହଣରେ ପଟୁଆର ବାହାରିଥିଲା l ସେଠି ସମସ୍ତ ନୀତିକାନ୍ତି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା । ଚାଙ୍ଗୁଡ଼ିରେ ନିଆଯାଇଥିବା ଇଟମାଳା ଫୁଲମାଳ ମାଆଙ୍କ ମସ୍ତକରେ ରଖି ପୂଜାର୍ଚ୍ଚନା କରାଯାଇଥିଲା ଏବଂ ତାହା ମଥାରୁ ଖସିବା ପରେ ମାଆଙ୍କ ଆଜ୍ଞାମାଳ ସ୍ୱରୂପ ସେହି ମାଳକୁ ପୁଣି ଥରେ ଚାଙ୍ଗୁଡ଼ିରେ ରଖି ବିରାଟ ପଟୁଆରରେ ଅଣାଯାଇ ଥିଲା ରାତି ସାଢେ ତିନିଟା ରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଆଉ ସେଠୁ ଆରମ୍ଭ ହେଲା ମାଆଙ୍କ ବିଶ୍ୱ ପ୍ରସିଦ୍ଧ ଦ୍ୱିବାର୍ଷିକ ଯାତ୍ରା ।
ମାଆଙ୍କ ଏହି ଯାତ୍ରା ବହୁ ପୁରାତନ । ଇତିହାସ ଦେଖିଲେ ଅନେକ କିଛି ଜାଣିପାରିବା l ସିଦ୍ଧାନ୍ତି ଯିଏ ତେଲୁଗୁ ଜାତିର ବ୍ରାହ୍ମଣ, ସେ ମା’ଙ୍କ ତିଥି ବାର ନକ୍ଷତ୍ର ତାରିଖ ସ୍ଥିର କରି ମା’ଙ୍କ ଯାତ୍ରା ପାଇଁ ତାରିଖ କୁହନ୍ତି, ୧୪ ଖଣ୍ଡ ଚାବୁକରେ ମହାରଣା ଅସ୍ଥାୟୀ ମଣ୍ଡପ ତିଆରି କରନ୍ତି,ମା’ଙ୍କ ଆଜ୍ଞାମାଳ ପାଇଁ ଇଟମାଳା ଫୁଲ ମାଳ ରାଉଳ ତିଆରି କରିବେ, ମା’ଙ୍କ ଘଟକୁ ମିଶାଇ ୯ ଟି ଘଟ କୁମ୍ଭାରପୁର ର ସ୍ୱତନ୍ତ୍ର କୁମ୍ଭାର ଘଡିବା ପରେ ଚିତ୍ରକାର ମାନେ ଚିତ୍ର କରିବେ,,ବାଲ୍ମୀକି ଦାସ ବାଉରୀ ଜାତିର ଅଵିଭାହିତ ଝିଅ ମାନେ ଅସ୍ଥାୟୀ ମଣ୍ଡପ ରେ ଗେରୁ ଓ ଝୋଟି ଚିତା କରନ୍ତି,ମା’ଙ୍କ ପୂଜାରେ ଲାଗୁଥିବା ତାଟକୁ ବନେଇଥାନ୍ତି ମେଦିରୀ ଜାତି,ଚାଙ୍ଗୁ ବାଦ୍ୟ କୁ ବଜାଇଥାନ୍ତି ହରିଜନ ଜାତି ଆଉ ବିରକାଳେ କାହାଳି ଙ୍କୁ ବଜାଇ ଥାନ୍ତି ମହାପାତ୍ର ଘର,ମା’ ଗାଁ ବୁଲିବା ସମୟରେ ରଜକ ଜାତି ରାସ୍ତାରେ ଲୁଗା ବିଛାନ୍ତି,ଦଳେଇ ବଂଶ ମା’ ଙ୍କ ସୁରକ୍ଷା ରେ ବ୍ୟସ୍ତ ରୁହନ୍ତି,ଡାମଣା ପୂଜକ ଅସ୍ଥାୟୀ ମଣ୍ଡପ ର ପୂଜକ ରୁହନ୍ତି ଆଉ ୟା ସହ କୁମୁଟି ବଂଶ ହୁଅନ୍ତି ମା’ଙ୍କ ମାଉସି ଘର,ମୋଚି ବଂଶ ଭାଇ ହୁଅନ୍ତି,କଂସାରୀ ଓ ଖଡୁରା ମାନେ ମା’ଙ୍କ ସେବା ପାଇଁ ପିତ୍ତଳ ଘଟ ତିଆରି କରନ୍ତି ଏହିପରି ଭାବରେ ଗୋଟିଏ ଜାତି ଧର୍ମ ବର୍ଣ ନିର୍ବିଶେଷରେ ଭାଇଚାରାର ସମ୍ପର୍କ ମଧ୍ୟରେ ମା’ଙ୍କ ଯାତ୍ରା ପରିବେଶଣ ହୁଏ l
ଆଉ ଗୋଟିଏ ହେଉଛି ଧର୍ମଝଣ୍ଡା,ଯାହା ଅସ୍ଥାୟୀ ମଣ୍ଡପର ଠିକ ସାମ୍ନାରେ ରହିଥାଏ,ପ୍ରତିଦିନ ଧର୍ମଝଣ୍ଡାରେ ହଳଦୀ ଚନ୍ଦନ ଲେପନ, କୁଙ୍କୁମ ପୂଜା ବା ଭୁବନେଶ୍ୱରୀ ପୂଜାରେ ବସିବାଠାରୁ ଆରମ୍ଭ କରି ପୁଣିଥରେ ମା’ଙ୍କ ଘଟକୁ ଧରି ମା’ଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ଏସମସ୍ତ କାର୍ଯ୍ୟ ଯାତ୍ରା ସମୟରେ ଲକ୍ଷ ଲକ୍ଷ ମହିଳାଙ୍କଦ୍ୱାରା ହିଁ ସମ୍ପନ୍ନ ହୋଇଥାଏ । ଏହି ଧର୍ମ ଝଣ୍ଡା ମଧ୍ୟ ମା’ବାପ ଘରକୁ ଆସିବାର ୩ ଦିନି ଦିନ ସ୍ଥାପନ କରାଯାଇଥାଏ l ପ୍ରତ୍ୟେକ ମନ୍ଦିର ବାହାରେ ଯେମିତି ଗରୁଡ଼ ସ୍ତମ୍ଭ ରହିଥାଏ ଠିକ ସେହିପରି ଏହି ଧର୍ମଝଣ୍ଡା ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ସେହି ଉଦେଶ୍ୟ ରଖି ସ୍ଥାପନ କରାଯାଏ l
ଚଳିତ ଯାତ୍ରାରେ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳିବା ସହ ଅନେକ ମାନସିକଧାରୀ ବିଭିନ୍ନ ବେଶ ମାଧ୍ୟମରେ ନିଜ ନିଜର ମାନସିକ ପୁରଣ କରନ୍ତି l ମା’ବିଭିନ୍ନ ସାହି ଗସ୍ତ କରି ପ୍ରତ୍ୟକ୍ଷ ଭାବେ ଭକ୍ତ ଏବଂ ଶ୍ରଦ୍ଧାଳୁ ତଥା ନିଜ ବାପ ଘର ପରିବାର ବା ଅଞ୍ଚଳ ସହ ମିଶନ୍ତି l ସଂସ୍କୃତି ଓ ପରମ୍ପରାର ପ୍ରତିକ ରୂପେ ଦୁଇ ବର୍ଷକୁ ଥରେ ପାଳିତ ହୋଇ ଆସୁଥିବା ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହେଉ ଓ ସମସ୍ତଙ୍କର ମଙ୍ଗଳମୟ ହେଉ ବୋଲି ଆମ ବିପ୍ଲବୀ ପରିକ୍ରମା ପରିବାର ତରଫରୁ ଆଶା ଓ ମା’ଙ୍କ ପାଖେ ପ୍ରାର୍ଥନା l