ଗଞ୍ଜାମ, ତାରାତାରିଣୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଆଜିଠୁ ଆରମ୍ଭ ହୋଉଛି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ମାଆଙ୍କ ପୀଠରେ ଚାରୋଟି ମଙ୍ଗଳବାରରେ ପାଳନ ହେବ ଏହି ପର୍ବ । ଶ୍ରଦ୍ଧାଳୁମାନେ ମାଆଙ୍କ ନିକଟରେ ମାନସିକ ରଖିବା ସହିତ ଦର୍ଶନ କରିବେ। ଏନେଇ ଚଳଚଞ୍ଚଳ ମାଆ ତାରାତାରିଣୀଙ୍କ ପୀଠ । ସ୍ଵତନ୍ତ୍ର ରୀତିନୀତି ସହକାରେ ହେଉଛି ମାଆଙ୍କ ପୂଜାର୍ଚ୍ଚନା l ଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଭକ୍ତମାନେ ପାହାଡ ଉପରକୁ ଯିବା ପାଇଁ ୨୦ରୁ ୨୫ଟି ବସ ଚଳାଚଳ କରିବ । ଏଥିସହିତ ମନ୍ଦିର ଉପରେ ଓ ତଳେ ପାନୀୟ ଜଳ , ପାର୍କିଂ ସ୍ଥାନ ,ବ୍ୟାରିକେଡ ଭଳି ବ୍ୟବସ୍ଥା କରାଯାଇଛି। ଅନେକ ମାନସିକଧାରୀ ମୁଣ୍ଡନ କରିବା ନିମନ୍ତେ ଏହି ସମୟରେ ମନ୍ଦିରକୁ ଆସିଥାନ୍ତି । ଏଥିପାଇଁ ୬ଟି ସ୍ଥାନରେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ପରମ୍ପରା ଅନୁସାରେ ପବିତ୍ର ଦୋଳପୂର୍ଣ୍ଣିମାରେ ମା’ଙ୍କ ରୀତିନୀତି ଅନୁଯାୟୀ, ପୂଜାର୍ଚ୍ଚନା କରାଯିବା ପରେ ହିନ୍ଦୁ ଧର୍ମର ପଞ୍ଜିକା ମା’ଙ୍କ ପୀଠରେ ପଢ଼ାଯାଇ ତିଥି ଲଗ୍ନ ପ୍ରକାରେ ଯାତ୍ରାଲାଗି ଶୁଭଖୁଣ୍ଟି ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ. ରେଡ୍ଡୀଙ୍କ ତ୍ତତ୍ତ୍ୱାବଧାନରେ ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ୪ଟି ମଙ୍ଗଳବାର ପାଳି ପଡୁଥିବାରୁ ଯେପରି ମା’ଙ୍କ ଯାତ୍ରା ସୂଚାରୁ ରୂପେ ହେବ, ମା’ଙ୍କ ନୀତିକାନ୍ତି ଠିକ୍ ସମୟରେ ହେବ,ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ହେବେ ମାଆ, ସମସ୍ତ ଭକ୍ତ ଯେପରି ଭଲରେ ମାଆଙ୍କ ଦର୍ଶନ କରିପାରିବେ ସେ ନେଇ କାର୍ଯ୍ୟ କରିବେ ମାଆଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ । ସେଥିନେଇ ସମସ୍ତ ସେବାୟତ ନିଷ୍ଠାପର ଓ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ କରିଛନ୍ତି l ଏହାସହ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଚଣ୍ଡ ଖରାଦାଉରୁ କିପରି ଭକ୍ତଙ୍କୁ ସୁରକ୍ଷା ଦିଆଯିବ ସେଥିନେଇ ନରସିଂହପୁର ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ଛାଇର ବ୍ୟବସ୍ଥା କରିବା, ଶିଶୁଙ୍କ ମୁଣ୍ଡନଲାଗି ୪ଟି ମୁଣ୍ଡନ ଶାଳା ନିର୍ମାଣ, ଭକ୍ତଙ୍କ ଖାଇବା ଲାଗି ପ୍ରସାଦ ଯୋଗାଇଦେବା, ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନାକୁ ବାହାରେ ଥିବା ଭକ୍ତମାନେ କିପରି ଦେଖିପାରିବେ ସେଥି ଲାଗି ୫ଟି ଏଲ୍ସିଡି ବିଭିନ୍ନ ସ୍ଥାନରେ ଲଗାଇବା ଆଦି କାର୍ଯ୍ୟର ବ୍ୟାପକ ବ୍ୟବସ୍ଥା କରାଯାଇଛି ।