ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡିଶା ଓ ଛତିଶଗଡ଼ ମଧ୍ୟରେ ରହିଥିବା ମହାନଦୀ ଜଳ ବିବାଦ ସମାଧାନ ଲାଗି ଆଶା ବଢିଛି । କୋର୍ଟ ବାହାରେ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବ । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତରୁ ଏହି ବଡ଼ ସୂଚନା ସାମ୍ନାକୁ ଆସିଛି ।ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଆସିଛନ୍ତି । ଏହି ଦିନିକିଆ ଗସ୍ତରେ ଥିବା ସମୟରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଲୋକସେବା ଭବନରେ ଶନିବାର ସନ୍ଧ୍ୟାରେ ଉଭୟ ନେତାଙ୍କ ଆଲୋଚନା ହୋଇଛି । ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ବିବାଦର ଆପୋଷ ସମାଧାନ ପାଇଁ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଦୁଇ ରାଜ୍ୟ ପରସ୍ପରର ପଡ଼ୋଶୀ ରାଜ୍ୟ । ଉଭୟ ରାଜ୍ୟ ମଧ୍ୟରେ ଭାଷା ଓ ଭାବଗତ ସାମଞ୍ଜସ୍ୟ ମଧ୍ୟ ରହିଛି । ଉଭୟ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହାର ତୁରନ୍ତ ସମାଧାନ ହେବା ଆବଶ୍ୟକ । ସମୟ ପରିବର୍ତ୍ତନ ହୋଇଛି । ଛତିଶଗଡ଼ ଓ ଓଡିଶାରେ ବିଜେପି ସରକାର ଆସିଛି । କେନ୍ଦ୍ରରେ ମଧ୍ୟ ବିଜେପି ସରକାର ରହିଛି । ଟ୍ରିପଲ ଇଞ୍ଜିନ ସରକାରରେ ଏହି ସମସ୍ୟା ସମାଧାନ ହୋଇପାରିବ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମହାନଦୀ ଜଳ ସମସ୍ୟା ନେଇ ଆଲୋଚନା କରିଛି । କୋର୍ଟ ମାମଲା ଅଲଗା କଥା । ଟ୍ରିପଲ ଇଞ୍ଜିନ ସରକାର ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ ହେବା ଦରକାର । ନିଶ୍ଚୟ ସମାଧାନ ହୋଇପାରିବ ବୋଲି ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ।’