ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଦାୟିତ୍ବ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ହେବେ। ଏଥିନେଇ ନିଯୁକ୍ତି ବିଜ୍ଞପ୍ତି ଦଳ ପକ୍ଷରୁ ପ୍ରକାଶ କରାଯାଇଛି। ଏହାଙ୍କ ସହ ଆଉ ତିନିଜଣ ଯୁବ ନେତାଙ୍କୁ ବିଭିନ୍ନ ବିଧାନସଭା ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେମାନେ ହେଲେ, ସୌଭାଗ୍ୟ ରଞ୍ଜନ ନାୟକ, ଗୌତମ ବୁଦ୍ଧ ଦାସ ଏବଂ ଅମରେଶ ଜେନା। ମାନସଙ୍କ ଏହି ଟିମ୍ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସ୍ଥିତିକୁ ଅନୁଧ୍ୟାନ କରିବା ସହ ବିଜେଡି ପାଇଁ ଉତ୍ତମ ପ୍ରାର୍ଥୀ କିଏ ହେବେ ତାହାର ସମୀକ୍ଷା କରିବେ। ଏବେ ଏହି ଆସନ ବିଜେପି ହାତରେ ରହିଛି। ଗତ ନିର୍ବାଚନରେ ବିଜେଡି ଅବରସପ୍ରାପ୍ତ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଟିକଟ ଦେଇ ବିଫଳ ହୋଇଥିଲା। ମାନସଙ୍କ ଟିମରେ ଥିବା ଅନ୍ୟ ତିନି ସଦସ୍ୟଙ୍କ ଭିତରୁ ସୌଭାଗ୍ୟ ନାୟକ ସମ୍ବଲପୁର ଓ ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଅନୁଧ୍ୟାନ କରିବେ। ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ବିଜେଡିର ପକେଟ୍ ଭୋଟ୍ ନିର୍ଦ୍ଧାରଣ, ସରକାର ଭଙ୍ଗ ପୂର୍ବରୁ ବିଭିନ୍ନ ଜନ ପ୍ରସଙ୍ଗକୁ ପ୍ରଶମିତ କରିବା ଲାଗି ପ୍ରସ୍ତାବ ଦେବା ଆଦି ଏହି ପର୍ଯ୍ୟବେକ୍ଷକଙ୍କ ମୂଳ ଦାୟିତ୍ୱ ରହିବ। ସେହିପରି ଏବେ ସାଂସଦ ଥିବା ନିତିଶ ଗଙ୍ଗଦେବଙ୍କ ପୈତୃକ ଘର ଦେବଗଡ଼ ଲାଗି ଗୌତମ ବୁଦ୍ଧ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷେ ଅମରେଶ ଜେନା କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ବୌଦ୍ଧ ବିଧାନସଭା ଆସନ ଲାଗି ପର୍ଯ୍ୟବେକ୍ଷକ ହେବେ। ଉଭୟ କନ୍ଧମାଳ ଲୋକସଭା ଆସନ ଏବଂ ବୌଦ୍ଧ ବିଧାନସଭା ଆସନ ଏବେ ବିଜେଡି ନେତୃତ୍ୱରେ ରହିଛି। କିନ୍ତୁ ବୌଦ୍ଧ ବିଜେଡି ପାଇଁ ଏକ ଆହ୍ୱାନ ହୋଇଥିବା ଆଶଙ୍କା କରାଯାଉଛି। ଏଣୁ ନୂତନ ପ୍ରାର୍ଥୀଙ୍କ ଶକ୍ତି ପରୀକ୍ଷା କରିବା ମଧ୍ୟ ଅମରେଶଙ୍କ ଗୁରୁଦାୟିତ୍ୱ ହେବ।