ଦୂର ହେଲା ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ : ମୁଖ୍ୟମନ୍ତ୍ରୀ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ସରକାରୀ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟିକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ମାତୃତ୍ବ ଛୁଟି ସମ୍ପର୍କିତ ସମସ୍ତ ନିୟମକୁ ସରକାର ସ୍ପଷ୍ଟ କରିଛନ୍ତି। ଜଣେ ସରକାରୀ ମହିଳା କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ୱ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ନେଇ କିଛିଟା ଦ୍ୱନ୍ଦ୍ବ ଥିଲା। ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି।ନିଷ୍ପତି ଅନୁଯାୟୀ,ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ ଏବଂ ପ୍ରସବର ଛଅ ମାସ ମଧ୍ୟରେ ଜଣେ ସରକାରୀ ମହିଳା କର୍ମଚାରୀ ୧୮୦ ଦିନର ମାତୃତ୍ୱ ଛୁଟି ନେଇପାରିବେ। କିନ୍ତୁ ମହିଳା ସରକାରୀ କର୍ମଚାରୀ ଜଣକ ଯଦି ଶିଶୁ ଜନ୍ମ ସମୟରେ ଚାକିରିରେ ନଥା’ନ୍ତି, ସେ ସେବାରେ ଯୋଗ ଦେବା ପରେ ଶିଶୁକୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ। ଏହି କ୍ଷେତ୍ରରେ ମାତୃତ୍ବ ଛୁଟି ୧୮୦ ଦିନରୁ କମ୍ ହୋଇପାରେ। ଉଦାହରଣ ସ୍ବରୂପ, ଜଣେ ମହିଳାଙ୍କ ପ୍ରସବ ତାରିଖ ଯଦି ୧ ଏପ୍ରିଲ ୨୦୨୫। ତେବେ ଶିଶୁକୁ ୨୭ ସେପ୍ଟେମ୍ବରରେ ଛଅ ମାସ ପୂର୍ଣ୍ଣ ହେବ। ଯଦି ସେ ଜୁନ୍‌ ୧୯ ତାରିଖରେ ସରକାରୀ ସେବାରେ ଯୋଗ ଦେଇ ମାତୃତ୍ବ ଛୁଟି ପାଇଁ ଆବେଦନ କରନ୍ତି, ତେବେ ସେ ୨୦ ଜୁନ୍‌ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ (ଅର୍ଥାତ୍ କେବଳ ୧୦୦ ଦିନ) ମାତୃତ୍ବ ଛୁଟି ପାଇଁ ଯୋଗ୍ୟ ହେବେ। ମହିଳା କର୍ମଚାରୀ ମାତୃତ୍ୱ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ କିମ୍ବା ଜନ୍ମିତ ଶିଶୁର ମୃତ୍ୟୁ (ଜନ୍ମର ୨୮ ଦିନ ମଧ୍ୟରେ) କିମ୍ବା ମୃତ ଶିଶୁ ଜନ୍ମ (୨୮ ସପ୍ତାହ କିମ୍ବା ତଦୁର୍ଦ୍ଧ୍ବ ସମୟର ଗର୍ଭଧାରଣ ପରେ ଯଦି ମୃତ ଶିଶୁ ଜନ୍ମ) ହୁଏ, ତେବେ ମାତୃତ୍ବ ଛୁଟିର ଅବଧି ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ରହିବ। ଉଦାହରଣ ସ୍ବରୂପ, କର୍ମଚାରୀଙ୍କ ସମ୍ଭାବ୍ୟ ପ୍ରସବ ତାରିଖ ଯଦି ୩୦ ଜୁନ୍‌ ଥାଏ ଏବଂ ଚିକିତ୍ସାଜନିତ ଜଟିଳତା ହେତୁ ପ୍ରସବ ତାରିଖର ତିନି ମାସ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ପହିଲା‌ରୁ ଯଦି ସେ ପ୍ରସବ ଛୁଟି ନେଇଥା’ନ୍ତି ଏବଂ ତାଙ୍କର ଜୁନ୍‌ ପହିଲାରେ ମୃତ ଶିଶୁ ଜନ୍ମ ହୁଏ, ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨ ଜୁଲାଇ ପର୍ଯ୍ୟନ୍ତ ସେ ମାତୃତ୍ବ ଛୁଟି ନେଇପାରିବେ।ଯଦି ଶିଶୁର ମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ହୁଏ, ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟି ସେହି ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରହିବ। ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଶେଷ ହୋଇଯାଇଥିବ, ତେବେ ସେ ୧୪ ଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ କିମ୍ବା ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଦୁର୍ଘଟଣା ଦିନଠାରୁ ୧୪ ଦିନ ଭିତରେ ଶେଷ ହୋଇଯାଉଥିବ, ତେବେ ସେ ୧୪ ଦିନରୁ ଯେତିକି ଦିନ ବଳକା ରହିଯାଉଥିବ, ସେତିକି ଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ। ଦୁଇଟିରୁ କମ୍ ଜୀବିତ ପିଲା ଥିବା ମହିଳା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ, ଏହି ମାତୃତ୍ୱ ଛୁଟି ପ୍ରଦାନ କରାଯିବ। ଶିଶୁ ପ୍ରସବ ଯେକୌଣସି ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ। ଯଦି ମାତୃତ୍ବ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବିକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ପଦବିରେ ଯୋଗଦାନ ରିପୋର୍ଟ (ହାର୍ଡ କିମ୍ବା ସଫ୍ଟ କପି) ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ, ସେହିଦିନ ସେ ସେହି ପଦବିରେ ଯୋଗ ଦେଲେ ବୋଲି ଧରାଯିବ। ସେ ତାଙ୍କର ମାତୃତ୍ବ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ। ମହିଳା କର୍ମଚାରୀ ତାଙ୍କର ମାତୃତ୍ବ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ।

LEAVE A REPLY

Please enter your comment!
Please enter your name here