ଏମକେସିଜିରେ କ୍ରିକେଟ ମ୍ୟାଚ ଯୋଗୁଁ ଚିକିତ୍ସା ଅବହେଳା

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଡ଼ାକ୍ତର ରୋଗୀଙ୍କ ଚିକିତ୍ସାନ କରି କ୍ରିକେଟ ମ୍ୟାଚ ଦେଖୁଥିଲେ । ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପରିବର୍ତ୍ତେ ଉପର ଠାଉରିଆ ଭାବେ ଚିକିତ୍ସା କରି ମେଡ଼ିକାଲରୁ ଘରକୁ ଫେରାଇଦେଲେ । ଯାହାଫଳରେ ରୋଗୀ ଉତ୍ତମ ଚିକିତ୍ସା ସେବା ନ ପାଇବାରୁ ମୃତ୍ୟୁ ବରଣ କଲା । ଏଭଳି ଗୁରୁତର ଅଭିଯୋଗ ଆସିଛି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ କାର୍ଯ୍ୟରତ ଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ । ଆଉ ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କରପଡ଼ା ଗ୍ରାମର ସୁଭ୍ରାଂଶୁ ପ୍ରଧାନ । ସୁଭ୍ରାଂଶୁଙ୍କ ମଝିଆ ଭାଇ ହିମାଂଶୁ ଶେଖର ପ୍ରଧାନଙ୍କ ଦୁଇ ମାସ ପୂର୍ବରୁ ମୋଟର ସାଇକେଲର ଷ୍ଟାଣ୍ଡ ବାଜି ଗୋଡ଼ରେ ମାଡ଼ ହୋଇଥିଲା । ଏହାପରେ ସ୍ଥାନୀୟ ମେଡ଼ିକାଲରେ ଗୋଡ଼କୁ ଦେଖାଇ ଚିକିତ୍ସା ମଧ୍ୟ କରାଇଥିଲା । ଏହି ସମୟ ମଧ୍ୟରେ ଥରେ ସେଫ୍ଟିକ୍‌ ମଧ୍ୟ ହୋଇଥିଲା । ତେବେ ଗତ ବୁଧବାର ଭୋର ୪ଟା ସମୟରେ ପୂର୍ବରୁ ଗୋଡ଼ରେ ମାଡ଼ ହୋଇଥିବା ସ୍ଥାନରେ ପୁଣି ମାଡ଼ ହୋଇଥିଲା । ଯାହାଫଳରେ ଗୋଡ଼ରେ ପ୍ରଚୁର ମାତ୍ରାରେ ରକ୍ତସ୍ରାବ ହୋଇଥିଲା । ଏହାକୁ ଦେଖି ହିମାଂଶୁଙ୍କୁ ତାଙ୍କ ପରିବାର ଲୋକେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲର କାଜୁଆଲଟିରେ ଭର୍ତ୍ତି କରାଇଥିଲେ । ସେହି ସମୟରେ କାଜୁଆଲଟିରେ ନିୟୋଜିତ ଥିବା ପିଜି ଡ଼ାକ୍ତର ମାନେ ହିମାଂଶୁଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଗୋଡ଼କୁ ଡ଼୍ରେସିଂ କରି ପଟି ବାନ୍ଧିଦେବା ପରେ ରକ୍ତସ୍ରାବ ବନ୍ଦ ହୋଇଥିଲା । ଏହାପରେ ମେଡ଼ସିନ ଓ ଇଞ୍ଜେକସନ ଦେଇ ଘରକୁ ଯିବା ପାଇଁ କହିଥିଲେ । କିନ୍ତୁ ଯେହେତୁ ସକାଳ ୪ଟାରୁ ୧ ଘଣ୍ଟା ପର୍ଯ୍ୟନ୍ତ ରକ୍ତସ୍ରାବ ହେଉଛି ତେଣୁ ଓ୍ବାର୍ଡ଼ରେ ଭର୍ତ୍ତି କରି ଉତ୍ତମ ଚିକିତ୍ସା ସେବା ଯୋଗାଇଦିଆଯାଉ ବୋଲି କହିଥିଲେ ତାଙ୍କ ପରିବାର ଲୋକେ । ହିମାଂଶୁଙ୍କ ଗୋଡ଼ ଭଲ ଅଛି ଘରକୁ ନେଇଯାଅ ବୋଲି କହି ତାଙ୍କୁ ମେଡ଼ିକାଲରୁ ଘୋଉଡ଼ାଇ ଦେଇଥିଲେ । ଯାହାଫଳରେ ଉତ୍ତମ ଚିକିତ୍ସା ସେବା ନ ପାଇ ଗତକାଲି ସକାଳେ ପୁଣି ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏମକେସିଜି ମେଡ଼ିକାଲକୁ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।ହିମାଂଶୁଙ୍କ ମୃତ୍ୟୁକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ହେବା ପରେ ମେଡ଼ିକାଲ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ମେଡ଼ିକାଲର ଅଧିକ୍ଷକ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ପହଞ୍ଚି ମୃତ ହିମାଂଶୁଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ହିମାଂଶୁଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ତାଙ୍କୁ ଓ୍ବାର୍ଡ଼ରେ ଭର୍ତ୍ତି କରିବା ଭଳି ପରିସ୍ଥିତି ନଥିବା ଯୋଗୁଁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ପିଜି ଡ଼ାକ୍ତର ମାନେ ହିମାଂଶୁଙ୍କୁ ଚିକିତ୍ସାରେ ଅବହେଳା କରିନାହାନ୍ତି । ଯଦି ପିଜି ଡ଼ାକ୍ତର ମାନେ କ୍ରିକେଟ ମ୍ୟାଚ ଦେଖୁଥିବେ ତେବେ ଚିକିତ୍ସା ପରେ ହିଁ ଦେଖିଥିବେ । ତେଣୁ ଗୋଡ଼ରେ ସାମାନ୍ୟ ମାଡ଼ରୁ ହିମାଂଶୁଙ୍କ ମୃତ୍ୟୁ ହୋଇନାହିଁ ବରଂ ହୃଦଘାତ ଯୋଗୁଁ ହିଁ ତାଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ଏମକେସିଜି ମେଡ଼ିକାଲର ଅଧିକ୍ଷକ । ଯଦିଓ ଡ଼ାକ୍ତରଙ୍କ ଅବହେଳାକୁ ନେଇ ଅଭିଯୋଗ ଆସୁଛି ତେବେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବ । କାଜୁଆଲଟିରେ ଲାଗିଥିବା ସିସିଟିଭି ଭିଜୁଆଲକୁ ମଧ୍ୟ ଦେଖାଯିବ । ଯଦି ଡ଼ାକ୍ତର ମାନେ ଚିକିତ୍ସାରେ ଅବହେଳା କରି କ୍ରିକେଟ ମ୍ୟାଚ ଦେଖୁଥିଲେ ତେବେ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମେଡ଼ିକାଲ ଅଧିକ୍ଷକ ।ଚିକିତ୍ସା ନ କରି କ୍ରିକେଟ ମ୍ୟାଚ ଦେଖୁଥିବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଆଜି ହିମାଂଶୁଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହିମାଂଶୁଙ୍କ ମୃତ୍ୟୁ ଚିକିତ୍ସା ଅବହେଳା ନା ହୃଦଘାତ ଯୋଗୁଁ ହୋଇଛି ତାହା ସ୍ପଷ୍ଟ ହେବ ।

 

LEAVE A REPLY

Please enter your comment!
Please enter your name here