ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କାରଣ ଦଳ ଛାଡିଛନ୍ତି ବରିଷ୍ଠ ତଥା ଅଭିଜ୍ଞ ନେତା ମିଲିନ୍ଦ ଦେବଡା । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି > ୫୫ ବର୍ଷର ସଂପର୍କକୁ ତୁଟାଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ ମିଲିନ୍ଦ । ଆଜି ସେ ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଆଜି ମୋ ରାଜନୈତିକ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଏହି ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି।
ବର୍ଷ ବର୍ଷ ଧରି ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ବୋଲି ଲେଖିଛନ୍ତି ମିଲିନ୍ଦ ଦେଓରା।ଗତ କିଛି ଦିନ ଧରି ମିଲିନ୍ଦ ଦେଓରାଙ୍କ କଂଗ୍ରେସରୁ ଇସ୍ତଫାକୁ ନେଇ ଲାଗିରହିଥିଲା ଚର୍ଚ୍ଚା। ସେ କଂଗ୍ରେସ ଛାଡ଼ି ଶିବ ସେନାରେ ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁୁ ଗତକାଲି ଏହାକୁ ଉଡ଼ାଖବର କହିଥିଲେ ମିଲିନ୍ଦ। ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମିଲିନ୍ଦ ଆଜି ଇସ୍ତଫା ଦେଇଛନ୍ତି।ଇଣ୍ଡି ମେଣ୍ଟରେ ଥିବା ଉଦ୍ଧବ ଠାକରେଙ୍କ ଶିବ୍ ସେନା ମୁମ୍ବାଇ ସାଉଥ୍ ଲୋକସଭା ଆସନ ମାଗୁଛି।
ଦଳ ଏନେଇ ଖୋଲାଖୋଲି ଘୋଷଣା କରୁଥିବାବେଳେ ଏଥିରେ ଅସନ୍ତୁଷ୍ଟ ଥିଲେ ମିଲିନ୍ଦ ଦେଓରା। କଂଗ୍ରେସ ଛାଡ଼ିବା ପଛରେ ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି। କାରଣ କଂଗ୍ରେସରେ ରହିଥିଲେ ହୁଏତ ସେ ମୁମ୍ବାଇ ସାଉଥ୍ ଲୋକସଭା ଆସନରୁ ଆଉ ଟିକେଟ୍ ପାଇନଥାନ୍ତେ। ଇସ୍ତଫା ପରେ ମିଲିନ୍ଦ ଦେଓରା ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାରେ ଆଜି ଯୋଗଦେଇପାରନ୍ତି ବୋଲି କୁହାଯାଉଛି।