ମୋଦିଙ୍କ ବିଶାଳ ରୋଡ୍‌ ସୋ : ଜନପଥରେ ଜନ ସମୁଦ୍ର

0
Oplus_131072

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଅପେକ୍ଷାର ଅନ୍ତ ଘଟିଲା। ଭୁବନେଶ୍ୱରରେ ପହଞ୍ଚି ରୋଡ୍‌ ସୋ’ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ଦେଖିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ସୋ।ସଞ୍ଜ ନଇଁବା ବେଳକୁ ମୋଦି ମାନିଆରେ ଉଛୁଳି ଉଠିଥିଲା କ୍ୟାପିଟାଲ ସିଟି ଭୁବନେଶ୍ୱର। ଜନପଥର ଦୁଇକଡ଼େ ଜମିଥିଲା ଜନତାଙ୍କ ଅସମ୍ଭବ ଗହଳି। ଲକ୍ଷାଧିକ ସଂଖ୍ୟାରେ ପିଲାଠୁ ବୟସ୍କ, ପୁରୁଷ ମହିଳା। ସମସ୍ତେ ଅପେକ୍ଷା କରିଥିଲେ ସେଇ ମୋଦି ମୁହୂର୍ତ୍ତକୁ। ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତ ମାତାର ଜୟଧ୍ୱନି ଦେଇ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ମୋଦି ମୋଦି ନାରାରେ ପ୍ରକଂପିତ ହୋଇଥିଲା ପରିବେଶ। ମୁହଁରେ ମୋଦି, ମୁଖାରେ ମୋଦି। କାନଭାସରୁ ହୋର୍ଡିଂ ସବୁଠି ମୋଦି ହିଁ ମୋଦି। ସୁସଜ୍ଜିତ କାରରେ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ ବିଜେପିର ଏହି ଟପ୍ ହେଭିୱେଟ୍ ଲିଡର୍। ତାଙ୍କ ମୁହଁରୁ ବି ଝଲସୁଥିଲା ଖୁସି ଓ ଉତ୍ସାହ। ବିଜେପି ପାର୍ଟି ଅଫିସରୁ ବାଣୀବିହାର ଛକ ଯାଏଁ। ଲୋକଙ୍କ ପାଇଁ ନିଅଣ୍ଟ ପଡ଼ିଥିଲା ପ୍ରାୟ ଅଢ଼େଇ କିଲୋମିଟର ରାସ୍ତା। ଜନପଥର ଦୁଇକଡ଼େ ପାଦ ରଖିବାକୁ ଜାଗା ନଥିଲା। ମୋଦିଙ୍କ ରୋଡ୍ ସୋ’ବେଳେ ସାରଥୀ ସାଜିଥିଲେ କିଛି ମହିଳା କର୍ମକର୍ତ୍ତା। ଯେଉଁମାନେ ମୋଦିଙ୍କ କାରକେଡ୍ ସହ ତାଳ ତାଳ ଦେଇ ଚାଲୁଥିଲେ। ସମ୍ବଲପୁରୀ ଶାଢ଼ୀ ପିନ୍ଧି ୧୪୦ ଜଣ ମହିଳା ସାମିଲ ହୋଇଥିଲେ ଏହି କାରକେଡରେ। ତା’ପୂର୍ବରୁ ହୁଳହୁଳି ସହ ମୋଦିଙ୍କୁ ଏମାନେ ସ୍ୱାଗତ କରିଥିଲେ।କେବଳ ରାଜ୍ୟ ବିଜେପି ଶିବିର ନୁହେଁ, ମୋଦିଙ୍କ ପ୍ରଚାର ବେଳେ ଚରମ ସୀମାରେ ଥିଲା ଲୋକଙ୍କ ଉତ୍ସାହ।

ବିଜେପି ଏଥର ଓଡ଼ିଆ ଅସ୍ମିତାକୁ ପ୍ରମୁଖ ନିର୍ବାଚନୀ ମୁଦ୍ଦା କରିଥିବା ବେଳେ, ମୋଦିଙ୍କ ରୋଡ୍ ସୋ’ରେ ବି ଦେଖିବାକୁ ମିଳିଥିଲା ଏହାର ଝଲକ। କଡା ସୁରକ୍ଷା ଭିତରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ସମାପ୍ତ ହୋଇଛି ।ଧାନମନ୍ତ୍ରୀଙ୍କ ଗାଡିରେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରହିଥିଲେ । ଏହାସହ ବିଧାୟକ ପ୍ରାର୍ଥୀ ଓ ଦଳୀୟ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଗାଡି ପାଖେ ପାଖେ ଚାଲିଥିଲେ । ଏସବୁ ଭିତରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ବିଜେପିକୁ ବଳ ଯୋଗାଇଛି ।

LEAVE A REPLY

Please enter your comment!
Please enter your name here