ମୋହନଙ୍କ ମନ୍ତ୍ରୀମଣ୍ଡଳ ଅନଫିଟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ:-  ମୋହନ ସରକାରଙ୍କ ଗଠନ ହେବାର ବର୍ଷେ ପୁରିବାକୁ ଯାଉଛି । ଇତିମଧ୍ୟରେ ସରକାରୀ ଓ ଦଳୀୟ ସ୍ତରରେ ମନ୍ତ୍ରୀ ମାନଙ୍କର କାର୍ଯ୍ୟଦକ୍ଷତା ସମୀକ୍ଷା କରାଯାଇଛି । ତୃତୀୟ ପକ୍ଷ ଅଡ଼ିଟ ହୋଇଛି । ଦଳ ଭିତରୁ ଓ ବାହାରୁ ଏବଂ ସରକାର ଭିତରୁ ଓ ବାହାରୁ ଦକ୍ଷତା ମପା ହୋଇଛି । ବିଭିନ୍ନ କ୍ଷେତ୍ରରେ ପ୍ରାୟ ୧୦ଜଣରୁ ଅଧିକ ମନ୍ତ୍ରୀ ଅନଫିଟ ମିଳିଛନ୍ତି । ସେମାନେ ସରକାରଙ୍କ କାର୍ଯ୍ୟକୁ ବୁଝି ପାରୁ ନାହାନ୍ତି । ଛୋଟ ଛୋଟ କଥାରେ ରହି ବୃହତ କାମକୁ ଅଣଦେଖା କରୁଛନ୍ତି । ଜନକଲ୍ୟାଣକାରୀ କାମ ବି ଠିକରେ ନିର୍ବାହ କରୁ ନାହାନ୍ତି । ଅଫିସର ମାନଙ୍କ କଥାରେ ଅନେକ ମନ୍ତ୍ରୀ କେବଳ ମୁଣ୍ଡ ଟୁଙ୍ଗାରୁଛନ୍ତି । କାଁ ଭାଁ ମନ୍ତ୍ରୀଙ୍କୁ ଛାଡ଼ି ଦେଲେ ନିଜସ୍ୱ କାହାର ସେପରି ଦକ୍ଷତା ଦିଶୁନାହିଁ । ତେଣୁ ସେମାନଙ୍କ ମଧ୍ୟରୁ ତଳଆଡ଼ୁ ୬ ଜଣ ମନ୍ତ୍ରୀଙ୍କର ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ବାଏ ବାଏ କରାଯିବ ବୋଲି ଭିତିରି ସୂତ୍ରରୁ ଜଣାପଡ଼ିଛି ।ବିଜେଡିର ୨୪ବର୍ଷର ସରକାରଙ୍କୁ ହଟାଇଦେଲେ ଲୋକେ । ବିଜେପିକୁ କ୍ଷମତା ଦେଲେ । ବିଜେପି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ସରକାର ଗଠନ କଲା । ତାଙ୍କରି ଅଧିନରେ ୧୫ଜଣିଆ ମନ୍ତ୍ରୀ ମଣ୍ଡଳ ଗଠନ କରାଗଲା । ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ହୋଇ ପାରିଥାନ୍ତା । ମାତ୍ର ତାହା କରାଗଲା ନାହିଁ । ହାତରେ କିଛି ମନ୍ତ୍ରୀଙ୍କ ବିଭାଗ ରହିଲା । ମୋଟ ୧୬ଜଣ ମନ୍ତ୍ରୀରେ ଚାଲିଛି ସରକାର । ମୋହନ ସରକାରଙ୍କୁ ୧ବର୍ଷ ପୂରିବାକୁ ଯାଉଛି । ବହୁ ପ୍ରତିଶୃତି ଓ ପ୍ରସଙ୍ଗ ଦେଖାଇ କ୍ଷମତାକୁ ଆସିଥିବା ମୋହନ ସରକାର ବର୍ଷେ ଭିତରେ ତାଙ୍କର ଲକ୍ଷ୍ୟ କେତେଦୂର ପୂରଣ କରିଛନ୍ତି ତାହାର ସମୀକ୍ଷା କରାଯାଉଛି । ଲୋକେ ତ ମୁହଁ ଫିଡ଼ିକେଇଲେଣି, ଦଳ ବି ସନ୍ତୁଷ୍ଟ କାଳେ ନାହିଁ ।

 

ଦଳୀୟ ଓ ଦଳ ବାହାରେ ମନ୍ତ୍ରୀ ମାନଙ୍କର ଦକ୍ଷତାକୁ ମପା ଯାଉଛି । କେନ୍ଦ୍ରୀୟ ସଂଗଠନ ବି ଏହି ଦକ୍ଷତା ମାପରେ ସାମିଲ ରହିଛି । କିଛି ମନ୍ତ୍ରୀଙ୍କ କାର୍ଯ୍ୟ ଆଦୌ ସନ୍ତୋଷଜନକ ହେଉନାହିଁ । ଫଳରେ ସରକାର ବଦନାମ ହେଉଛନ୍ତି । କିଛି ମନ୍ତ୍ରୀ ଆରଏସଏସ ଲବିରେ ବସିଛନ୍ତି । ଯାହାଙ୍କ ଉପରେ ଆରଏସଏସ ବି ଖପ୍ପା ହେଲାଣି । ସେପରି ମନ୍ତ୍ରୀ ମାନଙ୍କୁ ହଟାଇବା ପାଇଁ ଦଳ ପକ୍ଷରୁ ବି ତର୍ଜମା ଆରମ୍ଭ ହୋଇଛି । କାହାକୁ କଢ଼ାଯିବ ଓ କାହାକୁ ନିଆଯିବ ସେନେଇ ତର୍ଜମା ଆରମ୍ଭ ହୋଇ ସାରିଲାଣି । ଭାରତ ପାକିସ୍ତାନ ଯୁଦ୍ଧ ସ୍ଥିତି ପାଇଁ ଏସବୁ ପ୍ରକ୍ରିୟା ସ୍ଥଗିତ ଥିଲା । ମାତ୍ର ଏବେ ସେହି ପ୍ରକ୍ରିୟା ପୁଣି ଆରମ୍ଭ ହୋଇଯାଇଛି । ଅପାରଗ ମନ୍ତ୍ରୀ ମାନଙ୍କର ଫାଇଲ ଖୋଲି ତର୍ଜମା କରାଯାଉଛି ।କାହାକୁ ହଟାଯିବ, ସେମାନଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲବିରେ କିଏ କିଏ ଅଛନ୍ତି, କାହାକୁ ଅଣାଯିବ, ସେମାନଙ୍କ ମଧ୍ୟରେ ତାଙ୍କ ବିରୋଧୀ କିଏ ସେସବୁକୁ ଦେଖାଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ବିନା ଓଡ଼ିଶା ସରକାରରେ ସୂତା ଖଣ୍ଡେ ବି ହଲୁନାହିଁ । ତେଣୁ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପୂର୍ବରୁ ତାଙ୍କ ଇଚ୍ଛା ରହିବା ଦରକାର । ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ସରକାର ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବି ଲୋକେ ଅନେକ ସମୟରେ ଅଟ୍ଟହାସ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି । ଯାହା ବିଜେପିକୁ ପ୍ରଭାବିତ କରୁଛି । ଏପରିକି ମନ୍ତ୍ରୀମଣ୍ଡଳରେ କେହି ମୋହନଙ୍କ ନିୟନ୍ତ୍ରଣରେ ନଥିବା ବି କୁହାଯାଉଛି । କାରଣ ମନ୍ତ୍ରୀ ମଣ୍ଡଳ ଗଠନ ବେଳେ ମୋହନ ନୁହେଁ ବରଂ କାଳେ ଧର୍ମେନ୍ଦ୍ରଙ୍କ କଥାରେ ମନ୍ତ୍ରୀ ଚୟନ କରାଯାଇଥିଲା । ତେଣୁ ଅନେକ ଅପାରଗ ଏଥିରେ ସ୍ଥାନ ପାଇଛନ୍ତି । ଦେଖାଯାଉ ଏଥର ଅଦଳ ବଦଳରେ ଦକ୍ଷଙ୍କୁ ସ୍ଥାନ ମିଳୁଛି ନା ଦଳୀୟ ଲବିରେ ପୁଣି କିଛି ଅପାରଗ ଚୌକିରେ ବସୁଛନ୍ତି ?

LEAVE A REPLY

Please enter your comment!
Please enter your name here