ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ଆଜି ମାଲକାନଗିରି ଜିଲ୍ଲାରେ ଭୋଟ ଗ୍ରହଣ କରାଯାଇଛି। ମାଲକାନଗିରି ଜିଲ୍ଲାରେ ମୋଟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି। ମତଦାନ ଲାଗି ଜିଲ୍ଲାରେ ମୋଟ ୫୪୭ ଟି ପୋଲିଙ୍ଗ ବୁଥ୍ କରାଯାଇଛି ଯାହା ମଧ୍ୟରେ ୧୧୪ଟି ମାଓ ପ୍ରବଣ ବା ଅତି ସମ୍ବେଦନଶୀଳ ବୁଥ୍ ରହିଛି। ଏହା ସହ ୩୦ଟି ସଖୀ ବୁଥ୍ ରହିଛି ଯାହା କି ସଂପୂର୍ଣ୍ଣ ଭାବେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ।
ଏହି ଭଳି ଭିନ୍ନକ୍ଷମଙ୍କ ଲାଗି ୨ଟି ବୁଥ୍ ରହିଥିବା ବେଳେ ୧୦ଟି ଯୁବ ଗଷ୍ଟି ପାଇଁ ବୁଥ୍ ରହିଛି। ଆଜି ସକାଳ ୬ ଟାରୁ ମକ ଭୋଟିଂ ହେବା ପରେ ସମସ୍ତ ବୁଥ ରେ ମତଦାନ ଆରମ୍ଭ ହୋଇଥିଲା।ପ୍ରାଥମିକ ସ୍ତରରେ ବୁଥ ଗୁଡିକ ମଧ୍ୟରେ ଗହଳି କମ ଥିଲାବେଳେ ବାରବର୍ତୀ ସମୟରେ ବୁଥ ଗୁଡିକରେ ଗହଳି ଦେଖିବାକୁ ମିଳିଥିଲା। କିଛି ବୁଥରେ ଇଭିମ ରେ ଯାନ୍ତ୍ରିକ ତ୍ରୁଟି ଓ କିଛି ଜାଗାରେ ଏଜେଣ୍ଟ ମାନଙ୍କ ବିଳମ୍ବ ରେ ପହଁଚିବାରୁ ମତଦାନ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା। ସହର ଅଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମହିଳା ମାନେ ଶାନ୍ତି ଶୃଙ୍ଖଳା ସହ ଧାଡ଼ିରେ ଛିଡା ହୋଇ ମତଦାନ କରିଥିବା ବେଳେ ଆଉ କିଛି ମହିଳା ନିଜର କୁନି କୁନି ପିଲାଙ୍କୁ ନେଇ ବସିରହିଥିଲେ। ଆଉ ସେହିଭଳି ବଣ୍ଡା ଘାଟିରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଆଗ୍ରହ ପରିଲକ୍ଷିତ ହୋଇଥିଲା। ମାଲକାନଗିରି ଜିଲ୍ଲାପାଳ ମଧ୍ୟ ସାଧାରଣ ନାଗରିକ ଭଳି ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେବା ସହ ଅଧିକରୁ ଅଧିକ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ୫ ଟା ସୁଧା ମାଲକାନଗିରି ଜିଲ୍ଲାରେ ପାଖାପାଖି ୬୦% ର ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।