ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଶିକ୍ଷା ସହ ବୃତ୍ତିଗତ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା ମଧ୍ୟରେ ଗୁରୁବାର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ପିଲାମାନେ ଆର୍ଥିକ ସାକ୍ଷର ହେବା ସହ ମ୍ୟୁଚାଲ ଫଣ୍ଡ ଆଡଭାଇଜର, ଫାଇନାନସିଆଲ ଆଡଭାଇଜର, ପଲିସି ବ୍ରୋକର, ଷ୍ଟକ ବ୍ରୋକର ଭଳି ନିଯୁକ୍ତି ସୁଯୋଗ ପାଇପାରିବେ ଓ ଆତ୍ମନିର୍ଭର ହୋଇପାରିବେ । ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା ଓ BFSI ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ପାଠ୍ୟକ୍ରମ ସାମିଲ ହେବ ।
ବାଣିଜ୍ୟ ଓ ଅର୍ଥନୀତି ସମ୍ବନ୍ଧୀୟ ଏହି ବିଷୟ ଗୁଡ଼ିକ ନିବେଶ, ଶିଳ୍ପ ଓ ବ୍ୟାଙ୍କ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରାଇବ । ଜାତୀୟ ଶିକ୍ଷା ନୀତି – ୨୦୨୦ ଅନୁଯାୟୀ ଏହା ଛାତ୍ରଛାତ୍ରୀଙ୍କ ବୈଷୟିକ ଦକ୍ଷତା ବୃଦ୍ଧି ଓ ନାମଲେଖା ଅନୁପାତ ହାର ବୃଦ୍ଧିରେ ମଧ୍ୟ ସହାୟକ ହେବ ।